ଗୋଟିଏ ପଟେ ନକ୍ସଲ ଆରପଟେ କାମର ଧିମାଗତି, ମଝିରେ ଅଟକି ରହିଛି ଗୁରୁପ୍ରିୟା ସେତୁ
Khabar Odisha:slow-process-in-odisha-gurupriya-bridge-work
ତିନି ବର୍ଷ ହେଲା ଚାଲିଛି କାମ । ଗତି ଏତେ ଧିମା ଯେ ବର୍ତ୍ତମାନ ସୁଦ୍ଧା ସରିଛି ୬୦ ପ୍ରତିଶତ କାମ । ସେପ୍ଟମ୍ବର ୨୦୧୭ରେ କାମ ସରିବାର ଲକ୍ଷ୍ୟ ଥିଲା । ଆଉ ୪ ମାସ ମଧ୍ୟରେ ଯେ ବାକିଥିବା ୪୦ ପ୍ରତିଶତ କାମ ସରିବ ଏହି ଆଶା କରିହେଉନି । ମାଲ୍‌କାନ୍‌ଗିରି ବିଚ୍ଛିନ୍ନାଞ୍ଚଳକୁ ଯୋଡିବା ପାଇଁ ଉଦ୍ଦିଷ୍ଟ ଗୁରୁପ୍ରିୟା ସେତୁର ଇଏ ହେଉଛି ଭାଗ୍ୟ ।
 
ଗୁରୁପ୍ରିୟା ସେତୁ ପାଇଁ ୧୭୨ କୋଟି ଟଙ୍କାର ଖର୍ଚ୍ଚ ଧାର୍ଯ୍ୟ ହୋଇଥିଲା । ୬୦ ପ୍ରତିଶତ କାମରେ ୯୫ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଆଉ ୭୭ କୋଟି ଟଙ୍କାରେ ୪୦ ପ୍ରତିଶତ କାମ ହେବ । ୯ ଶହ ମିଟର ଲମ୍ବ ଏହି ସେତୁରେ ୧୪୨ଟି ପାଇଲ୍‌ ନିର୍ମାଣ ହେବାକୁ ଥିବା ବେଳେ ବର୍ତ୍ତମାନ ୧୨୬ଟି ପାଇଲ୍‌ ସରିଛି । ୧୬ଟି ପାଇଲ୍‌ କାମ ବାକିଅଛି । ୭ଟି ପିଲର କାମ ବାକି ଅଛି । ୪୫ଟି ଛାତର କାମ ବାକି ଅଛି । ତିନିବର୍ଷ ଭିତରେ ଯଦି ୬୦ ପ୍ରତିଶତ ସରି ପାରିଲା ତେବେ ବାକି ୪ ମାସରେ ୪୦ ପ୍ରତିଶତ କାମ କେବେ ବି ସରି ପାରିବ ନାହିଁ । ଜୁଲାଇ ପ୍ରଥମ ସପ୍ତାହରୁ ବର୍ଷା ହେଲେ ଗୁରୁପ୍ରିୟା ଫୁଲିବ । ବଢ଼ନ୍ତା ପାଣିରେ କାମ ନିଶ୍ଚୟ ଅଟକି ରହିବ ବୋଲି ଚର୍ଚ୍ଚା ହେଉଛି ।
 
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସମେତ ସମସ୍ତ ପଦସ୍ଥ ଅଧିକାରୀ ନିର୍ଦ୍ଧାରିତ ସମୟରେ କାମ ସରିବା ନେଇ ଆଶା ପୋଷଣ କରୁଥିଲେ ସୁଦ୍ଧା କାମ ସରୁନାହିଁ । ଗୋଟିଏ ପଟେ ମାଓବାଦୀଙ୍କ ଡର ଅନ୍ୟପଟରେ କାମକୁ ନେଇ କୋଲକତା ସଂସ୍ଥାର ଶିଥିଳତା ସେତୁ ନିର୍ମାଣକୁ ବିଳମ୍ବିତ କରାଉଛି । 
 
ସୂଚନା ଯୋଗ୍ୟ ଯେ ଷାଠିଏ ଦଶକରେ ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବା ଫଳରେ ଜଳଭଣ୍ଡାର ସେପାରିରେ ଥିବା ଗାଁଗୁଡିକ ବିଚ୍ଛିନ୍ନାଞ୍ଚଳର ନୁଆ ପରିଚୟ ପାଇଥିଲା ।
 
ଗୁରୁପ୍ରିୟା ସେତୁ ହେଲେ ଆଠଟି ପଞ୍ଚାୟତର ୧୫୧ ଖଣ୍ଡ ଗ୍ରାମବାସୀ ଯୋଗାଯୋଗ ସୁବିଧା ପାଇବେ । ଏବେ ଚିତ୍ରକୋଣ୍ଡାରୁ ଯନ୍ତ୍ରୀ ନାମକ ସ୍ଥାନକୁ ଯିବାକୁ ହେଲେ ୯୨ କିମିର ଜଳଯାତ୍ରା କରିବାକୁ ହେଉଛି । ଏଥିପାଇଁ ୭-୮ ଘଣ୍ଟା ସମୟ ଲାଗେ । ପାଞ୍ଚ ଦଶନ୍ଧି ଧରି ୨୦ ହଜାର ଲୋକ ସେତୁଟିଏ ପାଇଁ ଚାହିଁ ବସିଥିଲେ ସୁଦ୍ଧା ଏହା କେତେବେଳେ ଲାଲ ଆତଙ୍କ ତ କେତେବେଳେ ନିର୍ମାଣକାରୀ ସଂସ୍ଥା ଓହରିଯିବା କାରଣରୁ ଆଗକୁ ବଢ଼ି ପାରୁନାହିଁ ।
 
ଗୁରୁପ୍ରିୟା ସେତୁ ନିର୍ମାଣର ଅଗ୍ରଗତି ଦେଖିବା ପାଇଁ ସେପ୍ଟେମ୍ବର ୨୦୧୫ରେ ଦ୍ୱିତୀୟଥର ପାଇଁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ୟୁଏନ୍‌ ବେହେରା ଦମ୍ଭର ସହ କହିଥିଲେ ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଗୁରୁପ୍ରିୟା ସେତରୁ କାମ ସରିବ । ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ କାର୍ଯ୍ୟର ସମୀକ୍ଷା କରିଥିବା ୧୧ ଫେବୃଆରୀ ୨୦୧୬ରେ ଟ୍ୱିଟରରେ ଉଲ୍ଲେଖ କରି ଜିଲ୍ଲାବାସୀଙ୍କ ଠାରୁ ସାବାସୀ ପାଇଥିଲେ । 
  • Tags:

Subscribe

National International State Sports Entertainment