ଅଯତ୍ନରେ କନ୍ୟାରତ୍ନ
Khabar Odisha:Save-Girl-Child
ମହିଳା ଓ ଶିଶୁ ପଡିଛନ୍ତି ପଛରେ । ଶିଶୁ ବିକାଶ ଓ ମହିଳା ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଫଳ ମିଳୁନି । ମହିଳା ଓ ଶିଶୁ ବିକାଶ ପାଇଁ ଚାଲିଥିବା ସବୁଠୁ ବଡ ଯୋଜନା ଅଙ୍ଗନବାଡି କାର୍ଯ୍ୟକ୍ରମ ରାଜ୍ୟରେ ଦିଗହରା ହୋଇଛି । ଗାଁ ଗାଁରେ ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇ ତିନିରୁ ଛଅ ବର୍ଷ ବୟସର ଶିଶୁଙ୍କୁ ପ୍ରାକ୍‌ ଶୈଶବ ଶିକ୍ଷା, ପୁଷ୍ଟିକର ଖାଦ୍ୟ ଦେବା ସହ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ତଦାରଖ, କୁପୋଷଣ, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ଟୀକାକରଣ ପାଇଁ ବ୍ୟବସ୍ଥା କରାଯାଇଥିବା ଯାହା କୁହାଯାଉଛି ତାହା ଅର୍ଦ୍ଧସତ୍ୟ । ଅସଲରେ ଅଙ୍ଗନବାଡି କେନ୍ଦ୍ରରୁ ଉପରୋକ୍ତ ପ୍ରକାରର ସେବା ମିଳୁନି । କୋଉଠି ଘର ନାହିଁ ତ କେଉଁଠି କର୍ମୀ ଅନୁପସ୍ଥିତ । ଏପରି ପରିସ୍ଥିତିରେ ଲକ୍ଷ୍ୟ ହାସଲ କରାଯିବ କିପରି ?
 
ରାଜ୍ୟର ମୋଟ ଜନସଂଖ୍ୟାର ୪୯.୫ ପ୍ରତିଶତ ହେଉଛନ୍ତି ମହିଳା । କିନ୍ତୁ ଶିକ୍ଷା, ସାକ୍ଷରତା, ସାମାଜିକ ବିକାଶ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନେ ଅଛନ୍ତି ବହୁତ ପଛରେ । ରାଜ୍ୟରେ ପୁରୁଷ ସାକ୍ଷରତା ହାର ୮୧.୫ ପ୍ରତିଶତ ଥିବା ବେଳେ ମହିଳା ସାକ୍ଷରତା ହାର ୬୪.୦୧ ରହିଛି । ଆଦିବାସୀ ବହୁଳ ଜିଲ୍ଲାଓ୍ୱାରୀ ହିସାବ କଲେ ଏ ସ୍ଥିତି ଆହୁରି ସଙ୍ଗୀନ । ସାକ୍ଷରତାରେ ଲିଙ୍ଗଗତ ପ୍ରଭେଦ ନୁଆପଡାରେ ସର୍ବାଧିକ ହୋଇଥିବା ଜଣାଯାଇଛି ।
 
ରାଜ୍ୟରେ କୃଷି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଉଲ୍ଲେଖନୀୟ । ଧାନ ରୋଇବା, ବାଛିବା, ବୋହି ନେବା ଓ ସାଇତି ରଖିବା ପର୍ୟ୍ୟନ୍ତ ମହିଳାଟିଏ ପୁରୁଷଠାରୁ ଅଧିକ ଶ୍ରମ କରୁଥିବା ସ୍ଥଳେ ମଜୁରୀ କିନ୍ତୁ ପୁରୁଷ ଠାରୁ କମ୍‌ ପାଇଥାଏ । ଶ୍ରମ କ୍ଷେତ୍ରରେ ମହିଳାମାନଙ୍କୁ ଶୋଷଣର ହାର ଅଧିକ ହୋଇଥିବା ବେଳେ ଘରୋଇ ହିଂସା ବି ଉଦ୍‌ବେଗଜନକ । ୨୦୧୫-୧୬ ବର୍ଷରେ ୩୩୬୯ଟି ଘରୋଇ ହିଂସା ମାମଲା ରାଜ୍ୟ ମହିଳା ଆୟୋଗଙ୍କ ନିକଟକୁ ଆସିଥିବା ବେଳେ ତାର ଅଧାରୁ କମ୍‌ ଅର୍ଥାତ ୧୬୬୩ଟି ମାମଲା ସମାଧାନ ହୋଇପାରିଛି ।
 
ଭୃଣ ଚିହ୍ନଟ ବେଆଇନ ବୋଲି ନିୟମ ଅଛି ହେଲେ ଡାକ୍ତରମାନେ ଘରୋଇ ନର୍ସିଂ ହୋମ୍‌ରେ ଏହା କରି ବିପୁଳ ଅର୍ଥ ରୋଜଗାର କରୁଛନ୍ତି । ନୟାଗଡ, ଅନୁଗୋଳ, ଢ଼େଙ୍କାନାଳ ଓ ଗଞ୍ଜାମରେ ଶିଶୁଲିଙ୍ଗ ଅନୁପାତ ୧୯୯୧ରେ ୯୬୭ରୁ ୨୦୧୧ରେ ୯୪୧କୁ ହ୍ରାସ ପାଇଛି । ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୭୮ ଥିବା ବେଳେ ୧୯୬୧ ପରଠାରୁ ଏ ସ୍ଥିତିରେ ଉନ୍ନତି ଘଟୁନାହିଁ । 
 
ନାରୀ ଜାୟା, ଜନନୀ ଓ ଭଗିନୀ ଭାବେ ଘରେ ଓ ବାହାରେ ତାର ବହୁବିଧ ଦାୟିତ୍ୱ ନିର୍ବାହ କରି ଚାଲିଥିବା ବେଳେ ଏ ସମାଜ ନାରୀକୁ ଅବଳା ଦୁର୍ବଳା କହି ଘରର ଚାରିକାନ୍ଥ ଚଉହଦୀ ଭିତରେ ଆବଦ୍ଧ କରି ରଖିବାର ଚକ୍ରାନ୍ତ କରି ଆସିଛି । କନ୍ୟା ସର୍ବଦା ଅନନ୍ୟା । ଏହାର ଅନେକ ନଜିର ଆମ ରାଜ୍ୟରେ ସୃଷ୍ଟି ହୋଇଥିବା ବେଳେ ଏ ସଂଖ୍ୟା ସୀମିତ । ଏକ ବଡ ଭାଗ ମହିଳା ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ନିଷ୍ପତ୍ତି ନିର୍ଣ୍ଣୟର ଅଧିକାରରୁ ବଞ୍ଚିତ । ଏ ସ୍ଥିତି କେବେ ବଦଳିବ ସନ୍ଦେହ ଘେରରେ ।
  • Tags:

Subscribe

National International State Sports Entertainment