ସୁବଳୟାରେ ବନ୍ଧ ନିର୍ମାଣ ପାଇଁ ସବୁକିଛି ଚୁଡାନ୍ତ ହୋଇଥିବା ବେଳେ ରେଢାଖୋଲ ଉପନିର୍ବାଚନ ଜିତିବା ପାଇଁ ନବିନ କରିଦେଇଥିଲେ ମନା
Khabar Odisha:Subalaya-Dam-Mahanadi-River-Dam-Odisha-Naveen-Pattnaik

 ଆଜି ମହାନଦୀର ପାଣିକୁ ନେଇ ଲଢେଇ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜେ ନବିନ ପଟ୍ଟନାୟକ ମହାନଦୀ ପାଇଁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଲଢେଇ ଯାରି ରଖିବେ ବୋଲି ଘୋଷଣା କରିସାରିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ କଟକ ସଭାରେ ମହାନଦୀ ପାଣିର ୫୩% ପାଣି ବ୍ୟବହାର ହୋଇନପାରି ସମୁଦ୍ରକୁ ବୋହି ଯାଉଥିବା କଥା କହି ରାଜ୍ୟ ସରକାରକୁ ସମାଲୋଚନା ମଧ୍ୟ କରିଛନ୍ତି । ଏହି ଆରୋପ ପ୍ରତ୍ୟାରୋପ ଭିତରେ ଉଭୟ ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି କି ୨୦୧୯ ନିର୍ବାଚନ ପାଇଁ ମହାନଦୀକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବିଜୁ ଜନତା ଦଳ ବ୍ୟବହାର କରୁଛି ।

ଯଦି ମହାନଦୀର ପାଣିକୁ ନେଇ ଅାମେ ଟିକିଏ ପଛକୁ ଫେରିବା ଯେତେବେଳେ ହିରାକୁଦ ବନ୍ଧର ପରିକଳ୍ପନା କରାଯାଇଥିଲା ସେତେବେଳେ ମହାନଦୀରେ ଥିବା ପାଣିକୁ ନେଇ ଆଉ ଦୁଇଟି ବନ୍ଧର ମଧ୍ୟ ପରିକଳ୍ପନା କରାଯାଇଥିଲା । ପ୍ରଥମେ ଟିକରପଡାରେ ବନ୍ଧ ହେବ ବୋଲି ସ୍ଥିର ହୋଇଥିଲା । ହେଲେ ୧୨୦୦ ଗାଁ ଏବଂ ୩ଟି ଐତିହାସିକ ସହର ବୌଦ୍ଧ, ସୋନପୁର, ଆଠମଲ୍ଲିକ ଜଳମଗ୍ନ ହୋଇଯିବାର ଆଶଙ୍କା ହେବାରୁ ଏହି ପ୍ରସ୍ତାବ ଆଗେଇ ପାରିଲା ନାହିଁ । ପରେ ୧୯୮୨ ମସିହା ହୋଇଥିବା ବଡ ବନ୍ୟାରେ ଭୟାନକ କ୍ଷୟକ୍ଷତି ହେବା କାରଣରୁ ମଣିଭଦ୍ରା ଠାରେ ଏକ ବନ୍ଧ କରିବାର ପରିକଳ୍ପନା ହୋଇଥିଲା । ଯଦିଓ ଇଜିଂନିୟରମାନେ କହିଥିଲେ ଏହିଠାରେ ବନ୍ଧ ହେଲେ ଟିକରପଡାଠାରୁ କମ କ୍ଷତି ହେବ କିନ୍ତୁ ୩୦୦ ଖଣ୍ଡେ ଗାଁ ବୁଡିଯିବ । ଏହି ପ୍ରସ୍ତାବ ଯଦିଓ କିଛି ବାଟ ଆଗେଇଥିଲା ହେଲେ ପରବର୍ତୀ ସମୟରେ ଏହି ୩୦୦ ଗାଁ ପାଇଁ ଏହାକୁ ମଧ୍ୟ ବନ୍ଦ କରାଯାଇଥିଲା । ୧୯୯୫ ମସିହାରେ କେନ୍ଦ୍ର ଜଳ ସମ୍ପଦ କମିଶନ ଓଡିଶା ସରକାରଙ୍କୁ ଏକ ଚିଠି ଲେଖିଥିଲେ ଏବଂ କହିଥିଲେ ଯେଉଁଠି ବନ୍ଧ ହେଲେ ଆଦୌ ଗାଁ ବୁଡିବ ନାହିଁ ସେପରି ଯାଗାରେ ମହାନଦୀରେ ବନ୍ଧ କରାଯାଉ ଏବଂ କେନ୍ଦ୍ର ସରକାର ଏହାକୁ ଆର୍ଥୀକ ସହଯୋଗ କରିବେ ।

ବହୁତ ସର୍ଭେ ପରେ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟାକୁ ଚିହ୍ନିଟ କରାଗଲା । ଡାଇନାମିକ ଷ୍ଟୋରେଜ ପ୍ରଣାଳୀଦ୍ୱାରା ନିର୍ମିତ ହେବାକୁ ଥିବା ଏହି ବ୍ୟାରେଜ ଏବଂ ବନ୍ଧ ନିର୍ମାଣ ହେଲେ କୌଣସି ଗାଁ ଏପରିକି କୌଣସି ଘର ମଧ୍ୟ ବୁଡିବାର ସମ୍ଭାବନା ନଥିଲା । ବନ୍ଧରେ ବୁଡିବାକୁ ଥିବା ଅଂଚଳରେ କୌଣସି ଜଙ୍ଗଲ ଜମି ମଧ୍ୟ ନଥିଲା । ପାଖାପାଖିରେ ଥିବା ୭୦ଟି ଗାଁକୁ ସୁରକ୍ଷିତ କରି ରଖିବା ପାଇଁ କଟକ ଚାରିପଟେ ଥିବା ବନ୍ଧ ଶୈଳିରେ ୧୭ଟି ଘେରି ବନ୍ଧ କରାଯିବାର ଯୋଜନା ଥିଲା । ମହାନଦୀରେ ବନ୍ଧ କରିବା ପାଇଁ ଏଇଟା ସବୁଠାରୁ ଭଲ ସ୍ଥାନ ଥିଲା ଯେଉଁଠି କୌଣସି ଗୋଟିଏବି ଗାଁ ବୁଡିବାର ଆଶଙ୍କା ନଥିଲା । କେହି ବିସ୍ଥାପନ ହୋଇନଥାନ୍ତେ ।

ସୁବଳୟାଠାରେ ପ୍ରସ୍ତାବିତ ବ୍ୟାରେଜରେ ୮ ଲକ୍ଷ ୫୦ ହଜାର କ୍ୟୁସେକ ପାଣିରହିବାର କ୍ଷମତା ଥାଆନ୍ତା ଯାହା ମହାନଦୀରୁ ସମୁଦ୍ରକୁ ବୋହିଯାଉଥିବା ପାଣିର ପାଖାପାଖି ଅଧା ପାଣି । ଯେତେ ବଡ ବନ୍ୟା ହେଲେ ବି ଏହାକୁ ନିୟନ୍ତ୍ରଣ କରିବାପାଇଁ ସକ୍ଷମ ହୋଇପାରିଥାଆନ୍ତା ଏହି ସୁବଳୟା ବନ୍ଧ ଏବଂ ୭ଟି ଜିଲ୍ଲାର ଜଳସେଚନ ମାନଚିତ୍ରରେ ଆଣିପାରିଥାନ୍ତା ବ୍ୟାପକ ଉନ୍ନତି । ସେହି ଯାଗାର ଭୌଗଳିକ ସ୍ଥିତି ଯାହା ଥିଲା ଖର୍ଚ୍ଚ ମଧ୍ୟ କମ ହୋଇଥାନ୍ତା ।

ମାତ୍ର ୪୬୦ କୋଟି ଟଙ୍କା ବ୍ୟୟ ହୋଇଥାନ୍ତା ଏହି ବନ୍ଧ ଏବଂ ବ୍ୟାରେଜ ନିର୍ମାଣ ପାଇଁ ।  ଏହି ଯୋଜନା ପାଇଁ ୨୦୦୧ ମସିହାରେ ବିଧାନସଭାରେ ସହମତି ମଧ୍ୟ ହୋଇଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରି ବାଜପେୟି ମଧ୍ୟ ଏହି ଯୋଜନା ଅତ୍ୟନ୍ତ ଶ୍ରେୟସ୍କର ଏବଂ ଗ୍ରହଣିୟ ବୋଲି ମତଦେଇଥିଲେ ।

ହେଲେ ସବୁକିଛି ଫସର ଫଟାଇ ଦେଇଥିଲା ଏହାପରେ ଅନୁଷ୍ଠିତ ହୋଇଥିବା ରେଢାଖୋଲ ଉପନିର୍ବାଚନ । ସୁବଳୟା ବ୍ୟାରେଜ ପାଖରେ ଥିବା ଗୋଟିଏ ବି ଗାଁ ବୁଡୁନଥିବା ବେଳେ ସେଠାରୁ ୧୦୦ କିମି ଦୂରରେ ଥିବା ରେଢାଖୋଲ ସହର ବୁଡିଯିବ ବୋଲି ଅଦଭୁତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଥିଲା । ବାସ୍ତବରେ ଏହି କଥାର କୌଣସି ସତ୍ୟତା ନଥିଲା । ପାଖରେ ଥିବା ଗୋଟିଏ ବି ଗାଁ ବୁଡୁନଥିବା ବେଳେ ସେଠାରୁ ୧୦୦ କିମି ଦୂରରେ ଥିବା ରେଢାଖୋଲ ସହର କିପରି ବୁଡିଯାଇଥାନ୍ତା ? କେବଳ ବିଜୁ ଜନତା ଦଳ ଏହାକୁ ନିର୍ବାଚନ ଜିତିବା ପାଇଁ ଏପରି ବିରୋଧ କରିଥିଲା । ଅାଉ ନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ସେତେବେଳେ ଘୋଷଣା କଲେ ସୁବଳୟା ଠାରେ ଡ୍ୟାମ ହେବ ନାହିଁ ।

( ଜୁଲାଇ 2004ରେ ଓଡିଶା ବିଧାନସଭାରେ ମରୁଡି ଓ ବନ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ହୋଇଥିବା ଅାଲୋଚନାରୁ ଉଦ୍ଧୃତ )

Subscribe

National International State Sports Entertainment