ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୫ରେ ପହଁଚିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ତତସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମାଝୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ସେପଟେ ଏହି ଘଟଣା ପରେ ଓଡ଼ିଶା ସରକାର ତାମିଲନାଡ଼ୁ ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଗତକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଯେପରି ଓଡ଼ିଆ ଶ୍ରମିକମାନଙ୍କ ଉପଯୁକ୍ତ ଚିକିତ୍ସା ହୋଇ ପାରିବ ଏବଂ ଅନ୍ୟାନ୍ୟ ସହାୟତା ଠିକ୍ ଭାବରେ ମିଳି ପାରିବ, ସେ ବିଷୟରେ ଆଲୋଚନା କରିଥଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାରଙ୍କ ତିନି ଜଣ ବରିଷ୍ଠ ଅଧିକାରୀ ତାମିଲନାଡୁ ଗସ୍ତ କରି ତିରୁଭଲ୍ଲୁରେ ପହଞ୍ଚିଛନ୍ତି । ମୃତ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ, ମୃତ ଦେହକୁ ଓଡ଼ିଶା ଆଣିବା, ଆହତ ଶ୍ରମିକ ମାନଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସହାୟତା ଜାରି ରଖିଛନ୍ତି ।