କୋରାପୁଟ: କୋରାପୁଟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଘଞ୍ଚ ଜଙ୍ଗଲ ଭିତରୁ ମାଓ ଡମ୍ପ୍ ଠାବ କରାଯାଇଛି । ଜିଲ୍ଲାର ବୋଇପାରିଗୁଡ଼ା ଥାନା ଅଧୀନ ବାଦଲିପାହାଡ଼ ଜଙ୍ଗଲରୁ ମାଓବାଦୀଙ୍କ ଏକ ବଡ଼ ଅସ୍ତ୍ର ଓ ବିସ୍ଫୋରକ ଭଣ୍ଡାର ଠାବ କରାଯାଇଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ଡିଭିଏଫ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏହି ସଫଳତା ମିଳିଛି ।
ଅଭିଯାନ ସମୟରେ ୧ଟି ଇନସାସ ରାଇଫଲ, ୬ଟି ଦେଶୀ ବନ୍ଧୁକ, କ୍ଲେମୋର ମାଇନ, ୨ଟି ଟିଫିନ ବୋମା ଆଇଇଡି, ମାଓ କିଟ୍ ବ୍ୟାଗ, ସାହିତ୍ୟ, ଔଷଧ ଓ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଅସ୍ତ୍ର ଓ ବିସ୍ଫୋରକ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ କହିଛି, ଭବିଷ୍ୟତରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ଏଲାକାରେ ଏସଓଜି, ଡିଭିଏଫ ଓ ବିଏସଏଫ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିବ।