ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁବାକୁ ଯାଉଥିବା ବେଳେ ରାଜ୍ୟରେ ବର୍ଷାର ମାହୋଲ ଆହୁରି ଜୋରଦାର ହେବ। ପାଣିପାଗ ବିଭାଗର ସୂଚନା ଅନୁସାରେ, ମୌସୁମୀର ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟ ମୌସୁମୀ ଅଧୀନକୁ ଆସିଯିବ।
ରାଜ୍ୟ ଉପରେ ସକ୍ରିୟ ଟ୍ରଫ୍ ଲାଇନ ଓ କାଳବୈଶାଖୀର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟବ୍ୟାପୀ ବର୍ଷା ଜାରି ରହିବ। ସେଥିମଧ୍ୟରୁ ଆସନ୍ତା ୨ ଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଆଜି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଥିବା ବେଳେ, ଆଗାମୀ ୨୪ ଘଣ୍ଟାରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ଏହାସହ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ଆଶଙ୍କା ରହିଛି।
ସେହିପରି ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ମଧ୍ୟ ବଜ୍ରପାତ ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଏହି ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିଅସ୍ କମିବାର ସମ୍ଭାବନା ରହିଛି। ଏପଟେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୫୦ କିଲୋମିଟର ଏବଂ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ୨୨ ଓ ୨୩ ଜୁନ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ, ଆସନ୍ତା କିଛି ଦିନ ଓଡ଼ିଶାରେ ମୌସୁମୀ ବର୍ଷାର ଜୋରଦାର ପ୍ରଭାବ ଦେଖିବାକୁ ମିଳିବ ଏବଂ ଲୋକଙ୍କୁ ବଜ୍ରପାତ ଓ ପ୍ରବଳ ବର୍ଷା ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।