ପାହାଡ଼ପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଗାଁ ପାହାଡ଼ପୁରରେ ଏବେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସୂର୍ଯ୍ୟଘର’ ଘୋଷଣା ପରେ ଗାଁଟି ସୌର ଶକ୍ତିରେ ଆଲୋକିତ ହେବା ପାଇଁ ତତ୍ପରତା ଆରମ୍ଭ ହୋଇଯାଇଛି। ସବୁଠାରୁ ଚମତ୍କାର କଥା ହେଉଛି, ଘୋଷଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସର୍ଭେ କାମ ଆରମ୍ଭ ହୋଇଯାଇଛି।
ଗତ ୨୦ ତାରିଖରେ ପାହାଡ଼ପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହି ଗାଁକୁ ‘ସୂର୍ଯ୍ୟଘର ଗାଁ’ ଭାବେ ଘୋଷଣା କରିଥିଲେ। ଏହାପରେ ବିଦ୍ୟୁତ ବଣ୍ଟନ କମ୍ପାନୀ TPNODL ତୁରନ୍ତ କାର୍ଯ୍ୟରେ ଲାଗିପଡ଼ିଛି। କମ୍ପାନୀର କର୍ମଚାରୀମାନେ ଘରକୁ ଘର ବୁଲି ସର୍ଭେ କରିବା ସହ ଲୋକଙ୍କୁ ଯୋଜନାର ଲାଭ ସମ୍ପର୍କରେ ସଚେତନ କରୁଛନ୍ତି।
ଏହି ଯୋଜନା ଅଧୀନରେ ପାହାଡ଼ପୁରର ସମସ୍ତ ୧୪୨ ପରିବାରଙ୍କୁ ସାମିଲ କରାଯିବ। ପ୍ରତ୍ୟେକ ଘରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ ହେବା ପରେ ଗାଁରେ ବାରମ୍ବାର ବିଦ୍ୟୁତ କାଟ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ସେହିପରି ଗ୍ରାମବାସୀମାନେ କମ୍ ବିଦ୍ୟୁତ ବିଲ୍ ଦେଇ ଗ୍ରୀନ୍ ଏନର୍ଜିର ସୁବିଧା ଉପଭୋଗ କରିପାରିବେ।
TPNODLର ଅଧିକାରୀମାନଙ୍କ କହିବା ଅନୁଯାୟୀ, ଏହି ପ୍ରକଳ୍ପ କେବଳ ବିଦ୍ୟୁତ ସୁବିଧା ବଢ଼ାଇବ ନୁହେଁ, ବରଂ ଗ୍ରାମୀଣ ଅଞ୍ଚଳରେ ପରିବେଶ ଅନୁକୂଳ ଶକ୍ତି ବ୍ୟବହାରର ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ ତାହାର ଦ୍ରୁତ କାର୍ଯ୍ୟାନ୍ୱୟନକୁ ନେଇ ପାହାଡ଼ପୁରରେ ଏବେ ଉତ୍ସାହର ମାହୋଲ। ରାଷ୍ଟ୍ରପତିଙ୍କ ଗାଁ ଖୁବଶୀଘ୍ର ରାଜ୍ୟର ପ୍ରଥମ ଆଦର୍ଶ ‘ସୂର୍ଯ୍ୟଘର’ ଗାଁ ଭାବେ ପରିଚିତ ହେବାକୁ ଯାଉଛି। ସୌର ଶକ୍ତିର ଆଲୋକରେ ଝଲମଲ କରିବ ପାହାଡ଼ପୁର, ଆଉ ଗ୍ରାମବାସୀଙ୍କ ଜୀବନରେ ଆସିବ ନୂଆ ଉନ୍ନତିର ଆଲୋକ।