ବାରିପଦା: ପ୍ରକୃତିପ୍ରେମୀ ଓ ବନ୍ୟଜନ୍ତୁ ଦର୍ଶନ ପାଇଁ ଶିମିଳିପାଳ ଯିବାକୁ ଯୋଜନା କରୁଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା। ଆସନ୍ତା ୨୯ ଜୁନ ୨୦୨୬ ଠାରୁ ଶିମିଳିପାଳ ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବେ ବନ୍ଦ ରହିବ। ସୋମବାର ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚନ୍ଦ୍ର ଗୋଗିନେନିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
ବର୍ଷା ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମୌସୁମୀ ବର୍ଷା ସମୟରେ ଜଙ୍ଗଲ ଭିତର ରାସ୍ତା ପିଚ୍ଛଳ ହୋଇଯିବା, ନାଳ ଓ ଝରଣାରେ ଜଳସ୍ତର ବୃଦ୍ଧି ପାଇବା ସହ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଶିମିଳିପାଳର କୋର୍ ଏରିଆକୁ ବନ୍ଦ ରଖିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି।
ସେହିପରି ବର୍ଷା ସମୟରେ ଜଙ୍ଗଲର ସୂକ୍ଷ୍ମ ପରିବେଶ ବ୍ୟବସ୍ଥା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ମଧ୍ୟ ଏହି ପଦକ୍ଷେପ ସହାୟକ ହେବ ବୋଲି ବିଭାଗ କହିଛି।
ତେବେ ପର୍ଯ୍ୟଟକଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର ମଧ୍ୟ ରହିଛି। ଶିମିଳିପାଳ ଅଞ୍ଚଳର ଜାମୁଆଣୀ ଓ ତାଳବନ୍ଧ ଇକୋ-ଟୁରିଜମ୍ କମ୍ପ୍ଲେକ୍ସ ପୂର୍ବଭଳି ଖୋଲା ରହିବ। ଏଠାରେ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।
ବନ ବିଭାଗ ସୂଚନା ଦେଇଛି ଯେ, ବର୍ଷା ଋତୁ ଶେଷ ହେବା ପରେ ଶିମିଳିପାଳ ଟାଇଗର ରିଜର୍ଭ କେବେ ପୁନଃ ଖୋଲିବ, ସେନେଇ ପରବର୍ତ୍ତୀ ସମୟରେ ସରକାରୀ ଘୋଷଣା କରାଯିବ ଏବଂ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜଣାଯିବ।
ପ୍ରତିବର୍ଷ ବର୍ଷା ଋତୁରେ ଶିମିଳିପାଳକୁ ସାମୟିକ ଭାବେ ବନ୍ଦ ରଖାଯାଏ। ଏହା ଦ୍ୱାରା ଜଙ୍ଗଲର ପ୍ରାକୃତିକ ସନ୍ତୁଳନ ରକ୍ଷା ସହ ବନ୍ୟଜନ୍ତୁଙ୍କ ନିରାପଦ ବିଚରଣ ସୁନିଶ୍ଚିତ ହୋଇଥାଏ।