ଭୁୁବନେଶ୍ୱର: ଡିସେମ୍ବର ୨୫ ତାରିଖ ଅର୍ଥାତ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସର ଦିନକ ପୂର୍ବରୁ ଭିକେ ପାଣ୍ଡିଆନ ଏକ୍ସରେ ପୋଷ୍ଟ କରି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇ ଉଠିଛି । ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଣ୍ଡିଆନ ନିଜର ଟିପ୍ପଣୀ ରଖିଥିଲେ । ତେବେ ଏହି ଆକାଉଣ୍ଟ ବାସ୍ତବରେ ପାଣ୍ଡିଆନଙ୍କ କି ନୁହେଁ ସେ ନେଇ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଏହା ମଧ୍ୟରେ ଆଜି ଅର୍ଥାତ ଡିସେମ୍ବର ୨୭ରେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ପାଣ୍ଡିଆନ ଏକ୍ସରେ ମୋର କୌଣସି ଆକାଉଣ୍ଟ ନ ଥିବା କହିଛନ୍ତି । ତାଙ୍କର ଏହି ଟିପ୍ପଣୀକୁ ସାମାଜିକ କର୍ମୀ ମଧ୍ୟ କାଉଣ୍ଟର କରିଛନ୍ତି।
ଆଜି ପାଣ୍ଡିଆନ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଏକ୍ସରେ ମୋର କୌଣସି ଆକାଉଣ୍ଟ ନାହିଁ । ଏକ୍ସ ଆକାଉଣ୍ଟ ନ ଥିବା ସେ ସ୍ପଷ୍ଟୀକରଣ ଦେଇଛନ୍ତି ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପାଣ୍ଡିଆନ କହିଥିଲେ । ଦୀର୍ଘ ଦିନରୁ ଚାଲି ଆସିଥିବା ଆକାଉଣ୍ଟକୁ ଏବେ ଫେକ୍ କହିବାକୁ ନାପସନ୍ଦ କରୁଛନ୍ତି । ଯଦି ଫେକ୍ ତେବେ କାହିଁକି ମାମଲା ରୁଜୁ କରୁ ନାହାନ୍ତି ବୋଲି କହିଛନ୍ତି ଆରଟିଆଇ କର୍ମୀ ।
ସୂଚନାଯୋଗ୍ୟ, ଗତ ବୁଧବାର ଭିକେ ପାଣ୍ଡିଆନ ନାମକ ଏକ ଏକ୍ସ ଆକାଉଣ୍ଟରେ ଲେଖା ହୋଇଥିଲା ଯେ “ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଆ କହିବା ଏବଂ ଓଡ଼ିଆଙ୍କ ସୁଖଦୁଃଖର ସାଥି ହେବା ଆବଶ୍ୟକ ।”
ପାଣ୍ଡିଆନଙ୍କ ଏହି ପୋଷ୍ଟ ଉପରେ ବିଭିନ୍ନ ଲୋକେ ନିଜ ନିଜର ମତାମତ ଦେବାରେ ଲାଗିଥିଲେ । ପାଣ୍ଡିଆନ ପୁଣି ଥରେ ରାଜନୀତିକୁ ଫେରିବାକୁ ସଜବାଜ ହେଉଥିବା କୁହାଯାଇଥିଲା । ଏହା ମଧ୍ୟ କୁହାଯାଉଥିଲା ଯେ ପାଣ୍ଡିଆନ ନିଜର ଭୁଲକୁ ସ୍ୱୀକାର କରି ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ ଓଡ଼ିଶାରେ ସିଏ ଜନ୍ମ ହୋଇନାହାନ୍ତି ସତ କିନ୍ତୁ ଓଡ଼ିଆ କହୁଛନ୍ତି ଓ ଓଡ଼ିଆଙ୍କ ସୁଖଦୁଃଖର ସାଥି ବୋଲି ନିଜକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତି ।