କଟକ: ପୁଣି ଚାଷ ପାଇଁ ଚାଷୀ ଦେଲା ଜୀବନ। ବର୍ଷକ ଯାକର ଝାଳବୁହା ପରିଶ୍ରମର ଫଳକୁ ବିଲରେ ଉଜୁଡ଼ିଥିବାର ଦେଖି ଜୀବନ ଦେଲା ଚାଷୀ। ରାଜ୍ୟରେ ଧାନ ଅମଳ ସମୟରେ ହୋଇଥିବା ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତାର କାରଣ ପାଲଟିଥିଲା। ଚାଷୀ ନିଜର ସୁନାର ଫସଲକୁ ଆଖି ଆଗରେ ଦେଖି ସହ୍ୟ କରି ନ ପାରି ନିଜ ଜୀବନ ହାରୁଛି। ଏପରି ଏକ ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ନିଆଳିରେ ଘଟିଛି। ମୃତ ଚାଷୀ ଜଣକ ଇନ୍ଦ୍ରଜିତ ଛାଟୋଇ । ପୂର୍ବରୁ ନିଆଳି ଅଞ୍ଚଳରେ ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି ।
ସୂଚନା ଅନୁସାରେ, ରବିବାର ଇନ୍ଦ୍ରଜିତ ବିଲକୁ ନିଜର ସୁନାର ଫସଲକୁ ଦେଖିବା ପାଇଁ ଯାଇଥିଲେ। ଅଦିନିଆ ବର୍ଷା ପ୍ରଭାବରେ ବିଲରେ ଧାନ ଉପରେ ପାଣି ଦେଖି ସେ ଅସ୍ତବ୍ୟସ୍ତ ହୋଇ ଘରକୁ ଆସିଥିଲେ । କେମିତି ପରିବାର ପୋଷିବେ ଆଉ କଣ ଖାଇବେ ତାହା ତାଙ୍କ ମୁଣ୍ଡରେ ଘାରିଥିଲା। ସେ ବିଲରୁ ଆସି ଘରେ ରାତିରେ ଘରେ ଶୋଇଥିଲେ। ସକାଳେ ଉଠିବା ବିଳମ୍ବ ହେବାରୁ ପରିବାର ଲୋକ ଡାକିଥିଲେ ସୁଦ୍ଧା ସେ କୌଣସି ଉତ୍ତର ଦେଇନଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ଚାଷୀଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।