ଚଳିତ ଆଇପିଏଲରେ ଅନେକ ରେକର୍ଡ ସୃଷ୍ଟି ହେବା ସହ ଅନେକ ରେକର୍ଡ ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । ପ୍ରତି ସନ୍ଧ୍ୟାରେ ଗୋଟିଏ ରେକର୍ଡ ସୃଷ୍ଟି ହେଉଥିବାବେଳେ ଶୁକ୍ରବାର ସନ୍ଧ୍ୟାରେ ଆଇପିଏଲ ଇତିହାସର ସର୍ବାଧିକ ରନ ଚେଜ ହୋଇଛି । ଏଭଳି ରେକର୍ଡ କରିବାରେ ସଫଳ ହୋଇଛି ପଞ୍ଜାବ କିଙ୍ଗ୍ସ । ଇଡେନ ଗାର୍ଡେନ, କୋଲକାତାରେ ଖେଳାଯାଉଥିବା ମ୍ୟାଚରେ ଘରୋଇ ଦଳ କୋଲକାତା ଦେଇଥିବା ୨୬୨ ରନର ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ୧୮.୪ ଓଭରରେ ଏକ ସହଜ ବିଜୟ ହାସଲ କରିଛି । ଶତକ ହାସଲ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚିଥିବା ଯନି ବେରଷ୍ଟୋଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ମ୍ୟାଚ ଆରମ୍ଭରୁ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କୋଲକାତାର ଓପନିଂ ବ୍ୟାଟ୍ସମ୍ୟାନ ଫିଲ ସଲ୍ଟ ଏବଂ ସୁନୀଲ ନାରୀନ ଶତକୀୟ ପାଳି ଖେଳିଥିଲେ । ୧୩୮ ରନରେ କୋଲକାତାର ପ୍ରଥମ ୱିକେଟ୍ ଯାଇଥିବାବେଳେ ଦଳ ୨୦ ଓଭରର ଶେଷ ସୁଦ୍ଧା ୨୬୧ ରନ ସଂଗ୍ରହ କରିଥଲା । ଫିଲ ସଲ୍ଟ ୭୫, ସୁନୀଲ ନାରୀନ ୭୧, ଭେଙ୍କଟେଶ ଆୟାର ୩୯, ରସେଲ ୨୪, ଶ୍ରେୟସ ଆୟାର ୨୮, ରିଙ୍କୁ ସିଂ ୫ ଓ ରମନଦୀପ ସିଂ ୬ ରନ ସଂଗ୍ରହ କରିଥିଲେ । ଅର୍ଶଦୀପ ସିଂ ୨ଟି, ସାମ କରନ ୧, ହର୍ସଲ ପଟେଲ ୧ ଏବଂ ରାହୁଲ ଚହର ଗୋଟିଏ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ପଞ୍ଜାବର ବ୍ୟାଟ୍ସମ୍ୟାନ ମଧ୍ୟ ଆଟକିଙ୍ଗ ବ୍ୟାଟିଂର ପ୍ରଦର୍ଶନ କରି ୬ ଓଭରରେ ୯୩ ରନ ସଂଗ୍ରହ କରିଥିଲେ । ୧୮ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଭସିମରନ ରନ ଆଉଟ ହୋଇଥିଲେ । ରାଇଲି ରୁସୋ ୨୬ ରନ କରି ସୁନୀଲ ନାରୀନଙ୍କ ଶିକାର ହୋଇଥିଲେ । ପଞ୍ଜାବ ନିର୍ଦ୍ଧାରିତ ଲକ୍ଷ୍ୟକୁ ପିଛା କରି ୨ଟି ୱିକେଟ୍ ହରାଇ ୧୮.୪ ଓଭରରେ ବିଜୟ ହାସଲ କରିଥିଲା । ଯନି ବେରଷ୍ଟୋ ୪୮ ବଲରେ ୧୦୮ ରନ ସଂଗ୍ରହ କରିଥିଲେ ଏବଂ ଶଶାଙ୍କ ସିଂ ୨୮ ବଲରେ ୬୮ ରନ ସଂଗ୍ରହ କରି ମ୍ୟାଚ ଜିତିଥିଲେ । ଏହି ବିଜୟ ସହ ପଞ୍ଜାବ ସର୍ବାଧିକ ରନ ଚେଜ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ : ଆଜି ଇଡେନ ଗାର୍ଡେନରେ ହେବ ରନ ବର୍ଷା