ଉତ୍ତରପ୍ରଦେଶର ଚନ୍ଦୌଲି ଜିଲା ଅନ୍ତର୍ଗତ କୋତୱାଲି ଅଞ୍ଚଳରେ ସେପ୍ଟିକ୍ ଟାଙ୍କି ସଫା କରିବା ବେଳେ ଚାଲିଗଲା ୪ ଜୀବନ। ୩ ଜଣ ଶ୍ରମିକ ସେପ୍ଟିକ୍ ଟାଙ୍କି ସଫା କରିବା ପାଇଁ ଆସିଥିଲେ। ମାତ୍ର ଟାଙ୍କି ସଫେଇ କରିବା ସମୟରେ ବିଷାକ୍ତ ଗ୍ୟାସ ଯୋଗୁ ୩ଜଣ ଶ୍ରମିକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରିବା ସହିତ ଗଟଣାର ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୋତୱାଲି ଅଞ୍ଚଳର ଭରତଲାଲ ଜୟସୱାଲା ନାମକ ବ୍ୟକ୍ତିଙ୍କ ଘରର ସେପ୍ଟିକ ଟାଙ୍କିର କାମ ଚାଲିଥିଲା। ଏଥିପାଇଁ ୩ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ମାତ୍ର ଟାଙ୍କି ସଫେଇ କରିବା ସମୟରେ ବିଷାକ୍ତ ଗ୍ୟାସ ପ୍ରଭାବରେ ଶ୍ରମିକମାନେ ଚେତାଶୂନ୍ୟ ହୋଇ ଟାଙ୍କି ଭିତରକୁ ଖସିପଡ଼ିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଟାଙ୍କି ଭିତରକୁ ପଶିଥିଲେ। ଏହାପରେ ସ୍ଥାନୀୟ ଲୋକେ ୪ଜଣଙ୍କୁ ଉଦ୍ଧାର କରି ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟ ଜଣଙ୍କୁ ଟ୍ରମା ସେଣ୍ଟରକୁ ନିଅଯାଇଥିଲା। ହେଲେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି।