ଶିଳ୍ପ ସମୃଦ୍ଧ ସହର ବା କୋଇଲା ନଗରୀ ଭାବେ ବେଶ ଜଣାଶୁଣା ଝାରସୁଗୁଡା । ଝାରସୁଗୁଡାର ଅଧିଷ୍ଟାତ୍ରୀ ଦେବୀ ମା ରାମଚଣ୍ଡୀଙ୍କ ମନ୍ଦିରଙ୍କ ନାମରେ ବେଶ ପରିଚିତ । ଝାରସୁଗୁଡ଼ା ସହର ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ସହର ନିକଟସ୍ଥ ଇବ ଓ ଭେଡ଼େନ ନଦୀର ମିଶ୍ରଣ ସ୍ଥଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ରହିଅଛି ରାମଚ଼ଣ୍ଡୀ ମନ୍ଦିର । ସୂଚନା ଅନୁସାରେ, ଇବ ନଦୀ ସୁନ୍ଦରଗଡ ଜିଲ୍ଲାରୁ ଆସିଥିବା ବେଳେ ଭେଡ଼େନ ନଦୀ ଝାରସୁଗୁଡା ଜିଲ୍ଲାରୁ ଆସିଛି । ଏହି ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳରୁ ସ୍ପଷ୍ଟଭାବେ ଦୃଶ୍ୟମାନ ହୋଇଥାଏ । ମା’ଙ୍କ ଦର୍ଶନ କରିବାକୁ ହେଲେ ପାହାଡ ତଳକୁ ଓହ୍ଲାଇବାକୁ ଏକ ଲୌହ ନିର୍ମିତ ଗୋଲେଇ ଆକାର ସିଡ଼ିର ସାହାଯ୍ୟ ନେଇଥାନ୍ତି । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଉଛନ୍ତି । ଏହି ଚ଼ଣ୍ଡି ପୀଠ ପଶ୍ଚିମଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ । ଏଠାରେ ବର୍ଷ ତମାମ ଭକ୍ତମାନେ ଅଧିଷ୍ଠାତ୍ରୀ ଦେବୀ ମା' ରାମଚଣ୍ଡୀଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।ଦୁଇଟି ନଦୀ ଅତିକ୍ରମ କରି ଭକ୍ତମାନେ ଆସିବାପରେ ଲୁହା ସିଡି ଦେଇ ପାହାଡ ତଳେ ଥିବା ଏକ ଛୋଟିଆ ଗୁ୍ମ୍ପାରେ ମା’ ଙ୍କୁ ଦର୍ଶନ କରନ୍ତି । ପୂର୍ବରୁ ଭକ୍ତମାନେ ପାହାଡ ଉପରେ ଥିବା ବରଗଛ ଓହଳ ଚେର ସାହାଯ୍ୟରେ ଯିବା ଆସିବା କରୁଥିଲେ।
ଚଣ୍ଡୀମନ୍ଦିର ଇତିହାସ ସଂପର୍କରେ କୌଣସି ପ୍ରାମାଣିକ ଅଥବା ନିର୍ଭରଯୋଗ୍ୟ ଇତିହାସ ଖୋଜିଲେ ମିଳେନାହିଁ । ହେଲେ ଲୋକକଥା ଅନୁସାରେ ଏହି ମନ୍ଦିର ହେଉଛି ସତ୍ୟ ଯୁଗର। ପ୍ରଭୁ ରାମଚନ୍ଦ୍ର ମାତା ସୀତା ଓ ଲକ୍ଷ୍ମଣ ବନବାସରେ ବୁଲୁଥିବା ସମୟରେ ଏହି ସ୍ଥାନ ଦେଇ ଯାଇଥିବା କିମ୍ବଦନ୍ତୀ ରହିଥିବା ଶୁଣିବାକୁ ମିଳିଥାଏ । ମାଙ୍କ ନାମ ପ୍ରଥମେ ଗୋଲେଇ ଚଣ୍ତୀ ଥିଲା ପରେ ପ୍ରଭୁ ଶ୍ରୀ ରାମଙ୍କ ନାମ ଅନୁସାରେ ମାଙ୍କ ନାମ ରାମ ଚଣ୍ତୀ ହୋଇଛି ।
ମା’ ରାମଚଣ୍ଡୀ ସ୍ଥାନୀୟ ଗଡରାମପୁର ଜମିଦାରଙ୍କ ଇଷ୍ଟଦେବୀ। ମା’ ଚଣ୍ଡୀଙ୍କ ମନ୍ଦିର ଗଡରାମପୁରର ଜମିଦାରଙ୍କ ବଂଶଜ ମାନେ ମନ୍ଦିର ପୂଜା ପାଠ କରିବା ସହିତ ଦେଖାଶୁଣା କରୁଥିଲେ । ମା’ଙ୍କ ମନ୍ଦିରରେ ମୁଖ୍ୟତଃ ଚୈତ୍ର ନବରାତ୍ର , ଦଶହରାରେ ନବରାତ୍ର ଓ ନୂଆବର୍ଷରେ ଭକ୍ତଙ୍କ ଭିଡ ଅଧିକ ହୋଇଥାଏ ।ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ମାନସିକ ରଖି ଏଠାକୁ ଆସଥାନ୍ତି । ମା’ଙ୍କ ପାଖରେ ଗୁହାରି ଜଣାଇବା ପାଇଁ କାହିଁ କେତେ ଦୂରରୁ ପାହାଡ ପର୍ବତ ଅତିକ୍ରମ କରି ଧାଇଁ ଆସନ୍ତି ଭକ୍ତ । ବିଶ୍ବାସ ରହିଛି ଭକ୍ତ ଡାକିଲେ ମା’ ଡାକ ଶୁଣି ମନୋସ୍କାମନା ପୂରଣ କରିଥାନ୍ତି ।
ଅଧିକା ପଢନ୍ତୁ: ରାମଲୀଳାରେ ଶ୍ରୀରାମ ଗଲେ ବନବାସ