ରାମଲୀଳାରେ ଶ୍ରୀରାମ ଗଲେ ବନବାସ । ରାମଲୀଳାରେ କମ୍ପିଉଠୁଛି ବଲାଙ୍ଗୀର । ରାମାୟଣର କିଛି ଦୃଶ୍ୟ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଁଚୁଛି । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳାର ଚତୁର୍ଥ ରଜନୀରେ ପ୍ରଦର୍ଶିତ ହୋଇଛି ରାମ ବନବାସ । କରୁଣ ରସରେ ଭରପୂର ରାମାୟଣର ରାମ ବନବାସ ଦୃଶ୍ୟ ହଜାର ହଜାର ଦର୍ଶକଙ୍କୁ ସ୍ତବ୍ଧ କରି ପକାଇଥିବା ଦେଖିବାକୁ ମିଳିଛି ।
ରାମଜୀ ନାଟ୍ୟ ସଂସଦର ନିଆରା ପ୍ରୟାସରେ ଚାଲିଥିବା ରାମଲୀଳା ନାଟକରେ ବହୁ ନବୀନ ଓ ପ୍ରବୀଣ କଳାକାରମାନେ ସାମିଲ୍ ହୋଇଥିବା ବେଳେ କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକମାନଙ୍କୁ ଖୁବ୍ ବିମୋହିତ କରୁଥିବା ଲକ୍ଷ୍ୟ କରାଯାଉଛି । ଗତ ୧୯ ତାରିଖରୁ ଜଗନ୍ନାଥପଡ଼ାରେ ଆରମ୍ଭ ହୋଇଥିଲା ରାମଲୀଳା ନାଟକ । ଏହି ରାମଲୀଳା ନାଟକ ୨୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାରା ବଲାଙ୍ଗିର ସହରବାସୀ ଏହି ରାମଲୀଳା ନାଟକକୁ ଆବେଗର ସହ ଆଧ୍ୟାତ୍ମିକ ଭାବନାରେ ଭୂରପୂର ଆନନ୍ଦ ଉଠାଉଛନ୍ତି । ରାମଲୀଳାର ଏହି ନାଟକରେ ସାରା ପରିବେଶରେ ଏହା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଜଗନ୍ନାଥପଡ଼ା ରାମଲୀଳାରେ ରହିଛନ୍ତି ଜଣେ ବରିଷ୍ଠ ସିନେ କଳାକାର ପ୍ରହ୍ଲାଦ ଦର୍ଜୀ । ରାମଲୀଳାର ବିଭିନ୍ନ ଭୂମିକାରେ ସେ ଅଭିନୟ କରନ୍ତି । ମନ୍ଥରା, ମାରିଚ ଭଳି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଖୁବ୍ ପ୍ରିୟପାତ୍ର ହୋଇପାରିଛନ୍ତି ପ୍ରହ୍ଲାଦ । ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।