ଖବର ଓଡ଼ିଶା: ପୂର୍ବ ନବୀନ ସରକାରଙ୍କ ବସୁଧା ଯୋଜନା ଫେଲ ମାରିଛି । କେନ୍ଦ୍ରାପଡା ଜିଲ୍ଲା ପୁରୁଷୋତମପୁର ସେଠୀ ସାହି ଗାଁ ଲୋକ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ପିଇବା ପାଣି ପାଇଁ ଗାଁର ପ୍ରାୟ ପାଞ୍ଚ ଶହ ଲୋକ ଡହଳ ବିକଳ ହେଉଛନ୍ତି । ଗାଁର ଏକମାତ୍ର ନଳକୂପ ଅଚଳ ହୋଇ ପଡିବାରୁ ଏଭଳି ପରିସ୍ଥିତି ଉପୁଜିଛି I ଘର ପାଖରୁ ଦୂରକୁ ଚାଲିଚାଲି ଯାଇ ପାଣି ଆଣିବାକୁ ପଡ଼ୁଛି । ଗାଁକୁ ଆସୁଥିବା ପାଇପ ପାଣିରୁ ଆବର୍ଜନା ଓ ସିଉଳି ବାହାରୁଥିବା ଅଭିଯୋଗ ହୋଇଛି ।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପୁରୁଷୋତମପୁର ସେଠୀ ସାହି ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତି । ଗାଁର ଏକମାତ୍ର ନଳକୂପ ଅଚଳ ହୋଇ ପଡିବାରୁ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ପିଇବା ପାଣି ଟୋପେ ପାଇଁ ଗାଁର ମହିଳାମାନେ ଦୀର୍ଘପଥ ଅତିକ୍ରମ କରି ଯାଉଛନ୍ତି । । ତାହା ପୁଣି ଜଣେ ବ୍ୟକ୍ତିଙ୍କ ନିଜସ୍ଵ ଜାଗାରେ ଥିବା ବୋରିଂରୁ ପାଣି ଆଣିବା ପାଇଁ । ଜଣେ ବ୍ୟକ୍ତିଙ୍କ ନିଜସ୍ୱ ବୋରିଂରୁ ପିଇବା ପାଣି ଆଣିବାକୁ,ପାଣି କାଦୁଅରେ ପଶି ଯିବାକୁ ପଡୁଛି । ସେହିପରି ଘର ପାଖ ଦର ଉପରେ ମଧ୍ୟ କିଛି ଲୋକ ନିର୍ଭର କରୁଛନ୍ତି ।
ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଣ ପାଇଁ ପୂର୍ବ ନବୀନ ସରକାରଙ୍କର ବସୁଧା ଯୋଜନାର ବ୍ୟବସ୍ଥା କରାଯାଇଛି । କିନ୍ତୁ ପାଇପ ପାଣିରୁ ଆବର୍ଜନା ଓ ଶିଉଳି ବାହାରୁଛି । ଯାହାକି ବ୍ୟବହାର ଉପଯୋଗୀ ନୁହେଁ । ପାଇପ୍ ଯୋଗେ ଆସୁଥିବା ପାଣିରେ ବାସନ ମାଜିବା ଓ ଗୃହପାଳିତ ପଶୁଙ୍କୁ ପିଆଇବା କାମ ହୋଇ ପାରୁଛି । ରୋଷେଇବାସ ଓ ପିଇବା ପାଇଁ ଦୁରରୁ ପାଣିବାକୁ ପଡୁଛି । ଏକ ନୂତନ ଟିୟୁବୱେଲ ଖନନ କରିବା ସହ ପାଇପ ପାଣିରେ ଆସୁଥିବା ଆବର୍ଜନା ସମ୍ପର୍କରେ ଯାଚଂ କରିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ତେବେ ଲୋକମାନଙ୍କର ଏହି ସମସ୍ୟା ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀଙ୍କ ସହ ଆମେ ଯୋଗାଯୋଗ କରିଥିଲୁ । କିନ୍ତୁ ଏ ନେଇ ସେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଥିଲେ ।