କେନ୍ଦ୍ରାପଡ଼ା: ପିପିଲି ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ଼ ଫ୍ଲୁ ଆତଙ୍କ। ରାସ୍ତାକଡରେ, ନାଳରେ ଭାସୁଛି କୁଢ଼ କୁଢ଼ ମଲା କୁକୁଡ଼ା। ଏହି ଘଟଣାରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନରସିଂହପୁର ପଞ୍ଚାୟତର ନରସିଂହ ପୁର ଗାଁରେ ଶହ ଶହ ମଲା କୁକୁଡ଼ାକୁ ଅଖାରେ ବାନ୍ଧି ରାସ୍ତାକଡ଼ରେ ଓ ନାଳରେ ଭସା ଯାଇଛି। ଏହି କୁକୁଡ଼ାକୁ କୁକୁର, ବିଲୁଆ ଟାଣି ଖାଇବାସହ, ସମଗ୍ର ଅଂଚଳ ଏବେ ଦୁର୍ଗନ୍ଧରେ ଫାଟି ପଡୁଛି। ଏହି ଅଂଚଳରେ ରେ ପ୍ରାୟ ୩୦ ରୁ ଉର୍ଦ୍ଧ କୁକୁଡ଼ା ଫାର୍ମ ଥିବା ବେଳେ କୋଉ ଫାର୍ମର କୁକୁଡ଼ାକୁ ଏପରି ଫୋପାଡି ଦିଆଯାଇଛି ତାହା ଜଣା ପଡିନାହିଁ। ପ୍ରାୟ ୪ ଦିନ ହେବ ଏଭଳି ପରିସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗ ପଖରେ ଏ ନେଇ କୌଣସି ଖବର ନାହିଁ।
ସୂଚନା ଯୋଗ୍ୟ, ଏବେ ରାଜ୍ୟରେ ବାର୍ଡ଼ଫ୍ଲୁ କୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ, ପ୍ରଥମେ ପିପିଲିରେ ବାର୍ଡ଼ ଫ୍ଲୁରେ ଲକ୍ଷାଧିକ କୁକୁଡ଼ା ମଡ଼କ ପଡିବା ସହ ଲୋକମାନଙ୍କୁ ସଚେତନ କରାଉଛି ସ୍ୱାସ୍ଥ୍ୟ ବିଭାଗ। ଆଉ ଏବେ କେନ୍ଦ୍ରାପଡ଼ାରେ ଏଭଳି ସ୍ଥିତି ଉପୁଜିବା ପରେ ଲୋକେ ଆତଙ୍କିତ। ତେବେ ଏହା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।