ଦାରିଙ୍ଗବାଡିରେ ଗାଈ ଚରାଇବାକୁ ନେଇ ତୁମୁଳକାଣ୍ଡ। ଗାଈ ଚରାକୁ ନେଇ ବିବାଦ ପରେ ଚାଷ ଜମିରେ ଫୁଟିଲା ଗୁଳି । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଏହି ହତ୍ୟାକାଣ୍ଡଟି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି। ଗୁଳିମାଡ଼ରେ ଖାରିଗୁଡ଼ା ଗାଁର ମାଦି ପଡ୍ରାଙ୍କ ଜୀବନ ଚାଲିଯାଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମାଦିଙ୍କ ପୁଅ ଧର୍ମେନ୍ଦ୍ର। ମିଳିଥିବା ଖବର ଅନୁସାରେ, ଗାଈ ମକା ଫସଲ ଖାଇଦେବାକୁ ନେଇ ମାଦି ପଡ୍ରା ଏବଂ ମକା ଚାଷ ମାଲିକଙ୍କ ମଧ୍ୟରେ କଥା କଟା କଟି ହୋଇଥିଲା। ମକା ଚାଷ ମାଲିକ ଆକାଶ ପଡ୍ରା ସାଥିରେ ଧରି ଯାଇଥିବା ଦେଶୀ ବନ୍ଧୁକରେ ମାଦିଙ୍କୁ ଗୁଳି କରିଥିଲେ | ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଗିରଫ କରି ବନ୍ଧୁକ ଜବତ କରିଛି ପୋଲିସ |
ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଗୁରୁବାର ମାଦି ପଡ୍ରା ଚାଷ କାମ ସାରି ଗାଁ ନିକଟ ପାହାଡକୁ ଗାଈ ଚରାଇବାକୁ ଯାଇଥିଲେ । ହେଲେ ସଂଧ୍ୟା ହୋଇଯାଇଥିଲେ ମଧ୍ୟ ମାଦି ଘରକୁ ଫେରିନଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମକା ଚାଷଜମିରେ ମାଦିଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ ।