ଖବର ଓଡିଶା : 04/01/2023
ବାଲିମୁକ୍ତ ହେବ ବ୍ଲାକପାଗୋଡା | ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକ୍ଚର କାର୍ଯ୍ୟ ଆରମ୍ଭ ହୋଇଛି। ସୂର୍ଯ୍ୟମନ୍ଦିରରେ ଲିଫ୍ଟ ପାଇଁ ପଡିଛି ମୂଳଦୂଆ । ଏଣିକି ଗର୍ଭଗୃହରୁ ବାଲି କଢାଯିବ । 1903 ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରାଯାଇଥିଲା ।
ସୂଚନା ଅନୁସାରେ ସୂର୍ଯ୍ୟମନ୍ଦିର ଜଗମୋହନରୁ ବାଲି ବାହାରିବା ନେଇ ଗତ ସେପେଟମ୍ବର 8 ତାରିଖରୁ ଏଏସଆଇ ପକ୍ଷରୁ କାମ ଆରମ୍ଭ ହୋଇଛି । ଘରୋଇ କମ୍ପାନୀ ବିଡ଼ିଆର ନିର୍ମାଣ ସଂସ୍ଥା ଦ୍ୱାରା ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ପାଇଁ ଏଏସଆଇ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଭୂମିପୂଜା କରାଯିବା ପରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ବିମ୍ ଲଗାଯାଇଛି । ଏହିଭଳି ଆଉ 3ଟି ଲୁହା ବିମ୍ ଲାଗିବ । ପରେ ପାଇପ ସହାୟତାରେ ବାଲିକୁ ସ୍ୱତନ୍ତ୍ର ରାସ୍ତା ଦେଇ ଉତର-ପଶ୍ଚିମ କୋଣରେ ପକାଯିବ । ଯାହାଦ୍ୱାର ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର କାଢିବା ସହଜ ହେବ । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ 4 ଫୁଟରେ 5 ଫୁଟ ଏକ ଗର୍ତ୍ତ ଖୋଳା ଯିବ । ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବା । ବାଲି କାଢ଼ିବା କାର୍ଯ୍ୟ ASI ନିଜେ କରିବ। ଏଥିପାଇଁ ପ୍ରାୟ 3 ବର୍ଷ ସମୟ ଲାଗିବ । ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦେବାକୁ ଦାବି କରିଛି କୋଣାର୍କ ସୁରକ୍ଷା ସମିତି ।