ଭୁବନେଶ୍ବର : ଓଡ଼ିଶାରେ ମେଗାଷ୍ଟାର ମହେଶବାବୁ । ସୁଟିଂ ପାଇଁ ଓଡିଶା ମୁଁହା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରି । ଭୂସ୍ବର୍ଗ କୋରାପୁଟରେ ଦକ୍ଷିଣି ଟିମ ପକାଇଛି ଡେରା । ୨୦ ଦିନରୁ ଉର୍ଦ୍ଧ ସମୟ ଧରି ଓଡ଼ିଶାରେ ଚାଲିବ ସୁଟିଂ । ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ତାଙ୍କର ଆଗାମୀ ଫିଲ୍ମ ‘ଏସ୍ଏସ୍ଏମ୍ବି୨୯’ର ସୁଟିଂ ପାଇଁ ସୁଟିଂ ଲୋକେଶନ ବାଛିଛନ୍ତି ଓଡିଶା | । ସୁଟିଂ କରିବାକୁ କୋରାପୁଟ ଜିଲ୍ଲାର ଦେଓମାଳି ସମେତ ତଳମାଳି, ସେମିଳିଗୁଡ଼ା, ଲମତାପୁଟ ଓ ଜୟପୁର ଭଳି ସ୍ଥାନକୁ ଚୟନ କରାଯାଇଛି ।
ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ତେଲୁଗୁ ସୁପରଷ୍ଟାର୍ ମହେଶ ବାବୁଙ୍କ ସହ ସାମ୍ନାକୁ ଆସିବେ ଲୋକପ୍ରିୟ ବଲିଉଡ ନାୟିକା ପ୍ରିୟଙ୍କା ଚୋପ୍ରା । ମିଳିଥିବା ସୂଚନା ଅନୁଯାୟୀ ୫୦୦ କୋଟି ଟଙ୍କା ବଜେଟ୍ରେ ଏହି ତେଲୁଗୁ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍ବି୨୯’ ନିର୍ମାଣ ହେଉଛି । ଚଳଚ୍ଚିତ୍ରର କାହାଣୀ ସେନାବାହିନୀ ଓ ବ୍ରିଟିଶ୍ରାଜ ଉପରେ ପର୍ଯ୍ୟବେସିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନର ଅନୁମତି ପରେ ନିର୍ଦ୍ଦେଶକ ରାଜାମୌଲି ନିଜ ଟିମ୍ ନେଇ ସେମିଳିଗୁଡ଼ାରେ ପହଞ୍ଚିଛନ୍ତି । ନାୟକ ମହେଶ ବାବୁ, ନାୟିକା ପ୍ରିୟଙ୍କାଙ୍କ ସମେତ ଅନ୍ୟତମ ତେଲୁଗୁ ସୁପରଷ୍ଟାର୍ ପୃଥ୍ୱୀରାଜ ସୁକୁମାରନ ମଧ୍ୟ ଏଠାରେ ପହଞ୍ଚିଛନ୍ତି । ସୁଟିଂ ପୂର୍ବରୁ ସ୍ଥାନ ଚୟନ ପାଇଁ ଓଡିଶା ଆସିଥିଲେ ରାଜାମୌଲି ।
ମାର୍ଚ୍ଚ ପହିଲାରୁ ଏଠାରେ ସୁଟିଂ ଟିମ୍ ପହଞ୍ଚିଥିବାବେଳେ ୭ ତାରିଖରୁ ସୁଟିଂ ଆରମ୍ଭ ହୋଇଥିଲା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍ର ଦେଓମାଳି, ତଳମାଳି ଏବଂ କୋଟିଆ ଅଞ୍ଚଳରେ ଫିଲ୍ମର ବିଭିନ୍ନ ଦୃଶ୍ୟ ସୁଟିଂ ହେବ । ଏଥିଲାଗି ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିସହ ଟିମ ରହୁଥିବା ହୋଟେଲ୍କୁ ମଧ୍ୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି ।