ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁ ସମ୍ପଦରେ ସମୃଦ୍ଧ ଡେବ୍ରିଗଡ଼ ଅଭୟାରଣ୍ୟ ଏବେ ପର୍ଯ୍ୟଟକଙ୍କ ପାଇଁ ହଟ୍ସ୍ପଟ୍ ଭାବେ ଉଭା ହେଉଛି। ଇକୋଟୁରିଜିମର ଆକର୍ଷଣ ବଢିବା ସହିତ 2025-26 ଆର୍ଥିକ ବର୍ଷରେ ଏଠାରେ ୬.୦୨ କୋଟି ଟଙ୍କାର ରେକର୍ଡ ରାଜସ୍ୱ ସଂଗ୍ରହ ହୋଇଛି। ଗତ ବର୍ଷ ତୁଳନାରେ ପ୍ରାୟ ୧ କୋଟି ଅଧିକ ଆୟ ହେବା ସହିତ, ୧.୪ ଲକ୍ଷରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥିବାରୁ ଡେବ୍ରିଗଡ଼ର ଲୋକପ୍ରିୟତା ସ୍ପଷ୍ଟ ହେଉଛି।
ପର୍ଯ୍ୟଟନକୁ ଆହୁରି ଆକର୍ଷଣୀୟ କରିବାକୁ ଡେବ୍ରିଗଡ଼ରେ ଶୀଘ୍ର ଆସୁଛି ନୂଆ ପରିକଳ୍ପନା। ଗ୍ରୀଷ୍ମ ଋତୁ ଶେଷ ସୁଦ୍ଧା ଧୋଡ୍ରୋକୁସୁମରେ “ସବୁଜ ଗ୍ରାମ” ପ୍ରସ୍ତୁତି ସହିତ କ୍ୟାନୋପି ୱାକ୍, ସଫାରି, କ୍ରୁଜ୍ ସୁବିଧା, ନୂଆ ଯାନବାହନ ଓ ଡଙ୍ଗା ବ୍ୟବସ୍ଥା ସହ ୩୨ଟି ଆଧୁନିକ କଟେଜ୍ ଖୋଲାଯିବ। ଏହି ନୂତନ ପଦକ୍ଷେପ ପର୍ଯ୍ୟଟକଙ୍କ ଅନୁଭବକୁ ଆଉ ମଧୁର କରିବ।
ତେବେ ପୂର୍ବବର୍ଷ ୫.୦୧ କୋଟି ଆୟ ଓ ୮୫ ହଜାର ପର୍ଯ୍ୟଟକ ସହ ଡେବ୍ରିଗଡ଼ ଉନ୍ନତିର ପଥରେ ଥିବା ବେଳେ, ଏବେ ଆଇଲ୍ୟାଣ୍ଡ କାଫେ, ବନ୍ୟପ୍ରାଣୀ ପାଠାଗାର ଭଳି ନୂଆ ଆକର୍ଷଣ ଏହାକୁ ଆହୁରି ଆଗକୁ ନେଇଯାଇଛି। ଭାରତୀୟ ବାଇସନ, ଚିତାବାଘ, ସମ୍ବର, ସ୍ଲଥ୍ ଭାଲୁ ଭଳି ବନ୍ୟଜନ୍ତୁଙ୍କ ଉପସ୍ଥିତି ଡେବ୍ରିଗଡ଼କୁ ବିଶେଷ ପରିଚୟ ଦେଇଛି।
ସବୁଠାରୁ ବଡ କଥା ହେଉଛି ଏହା ସ୍ଥାନୀୟ ଲୋକଙ୍କୁ ଜୀବିକା ଯୋଗାଉଛି। ପ୍ରାୟ ୧୨୦ ପରିବାର ଏଠାରେ ଗାଇଡ୍, ସଫାରି ଡ୍ରାଇଭର, ଡଙ୍ଗାଚାଳକ ଓ ହୋମଷ୍ଟେ ମାଧ୍ୟମରେ ରୋଜଗାର କରୁଛନ୍ତି। ୪୦% ମହିଳା ସଫାରି ଡ୍ରାଇଭର ଓ ଇକୋଗାଇଡ୍ ଭାବେ କାମ କରୁଥିବା ବେଳେ, ହୋମଷ୍ଟେଗୁଡ଼ିକ ଆଦିବାସୀ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରତି ପରିବାର ମାସକୁ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ଆୟ କରୁଛନ୍ତି।
ଡେବ୍ରିଗଡ଼ ହୋମଷ୍ଟେ ଅଭିଜ୍ଞତା ପର୍ଯ୍ୟଟକଙ୍କୁ ପ୍ରକୃତି ସହ ଏକ ନିଆରା ସମ୍ପର୍କ ଦେଇଥାଏ। ଏହା କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି। ଇଟାଲୀ, ଫ୍ରାନ୍ସ, ଆମେରିକା, ୟୁକେ ସହ ଅନେକ ଦେଶରୁ ଏଠାକୁ ଲୋକ ଆସୁଛନ୍ତି।