କନ୍ଧମାଳ: ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ମୁହଁ ହେଲେଣି। ଏହାରି ଭିତରେ ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍ ଆସନ୍ତା ନଭେମ୍ବର ୧୫ରେ ଖୋଲିବାକୁ ଯାଉଛି। ଫଳରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେବ ଇକୋ ରିଟ୍ରିଟ୍। ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ବ୍ୟବସ୍ଥା ଭିୟୁ ଦେଖିବା ପାଇଁ ଓ୍ବାଚ୍ ଟାଓ୍ବାର ବ୍ୟବସ୍ଥା ସହ ଡାଇନିଂ ହଲ୍, ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ବ୍ୟବସ୍ଥା ସହ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ବୁଲାଇବା ବ୍ୟବସ୍ଥା ଆଦି ପ୍ରସ୍ତୁତି ଚାଲିଛି।
ଯୁଦ୍ଧକାଳୀନ ଭିତ୍ତିରେ ଇକୋ ରିଟ୍ରିଟ୍ରେ ତମ୍ବୁ ପକାଯିବା ସହ ସଜାସଜ୍ଜା କାର୍ଯ୍ୟ ଚାଲିଛି। ହିଲ୍ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଦୀର୍ଘ ୪ ବର୍ଷ ହେଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପ ହୋଇ ଆସୁଥିବାବେଳେ ପର୍ଯ୍ୟଟକ ଏହାର ସୁବିଧା ନେଉଛନ୍ତି। ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି। ଏହାର ଅନ୍ଲାଇନ ବୁକିଂ ଏବେ ଆରମ୍ଭ ହୋଇଯାଇଛି।
ଇକୋ ରିଟ୍ରିଟ୍ର ଅଧ୍ୟକ୍ଷ ତଥା ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ଚଳିତ ଥର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ୍କୁ ଆହୁରି ଆକର୍ଷିତ କରାଯିବ। ଏଥିସହ ପର୍ଯ୍ୟଟନକ୍ଷେତ୍ର କଫି ବଗିଚା, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, ଡୁଲୁରୀ ପାଇନ ବଣ, ଆଦି ରୂପାନ୍ତର କାର୍ଯ୍ୟ ହାତକୁ ନିଆଯାଇଥିବା ସେ କହିଛନ୍ତି। ଇକୋ ରିଟ୍ରିଟ୍ ଖୋଲିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।