ଖବର ଓଡ଼ିଶା: ରାଜ୍ୟ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର । ଜୈବ ବିବିଧତାରେ ପରିପୂର୍ଣ୍ଣ ଭିତରକନିକା ଜାତୀୟ ଉଦ୍ୟାନ ଖୁବ ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଆସନ୍ତା ଅଗଷ୍ଟ ୧ତାରିଖରୁ ଭିତରକନିକା ଖୋଲିବ । ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ପ୍ରତିବର୍ଷ ପରି ଚଳିତ ବର୍ଷ ମେ ୧ ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ଥିଲା । ତେବେ ଅଗଷ୍ଟ ୧ରୁ ଏହା ଖୋଲିବାକୁ ଯାଉଛି । ପ୍ରଥମଥର ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଭିତରକନିକା ଜାତୀୟ ଉଦ୍ୟାନରେ ସ୍କାଏ ୱାକ୍ ବା ୱାକ୍ ୱେ ନିର୍ମାଣ କରାଯାଇଛି । ଏହି ୱାକ ୱେ ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇ ପ୍ରାୟ ୬ଶହ ମିଟର ପର୍ଯ୍ୟନ୍ତ ଲମ୍ବିଛି । ଏହାକୁ କାଠରେ ତିଆରି କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦ ଜଣ ଲେଖାଏଁ ପର୍ଯ୍ୟଟଙ୍କୁ ସ୍କାଏ ୱାକ୍ ଉପରକୁ ଯିବାକୁ ଅନୁମତି ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜୈବ ବିବିଧତାରେ ପରିପୂର୍ଣ୍ଣ ଭିତରକନିକା ଜାତୀୟ ଉଦ୍ୟାନରେ ୬୩ ପ୍ରକାର ଲୁଣି ହେନ୍ତାଳ ଗଛ, ୩୨୨ ପ୍ରକାର ପକ୍ଷୀ, ସରୀସୃପ, ଘଡ଼ିଆଳ କୁମ୍ଭୀର, ସାମୁଦ୍ରିକଙ୍କୁ ଦେଖିବାକୁ ମିଳେ । ଏହା ବ୍ୟତିତ ହରିଣ, ସମ୍ବର, ବାରହା, ହେଟା, ବିଲୁଆ, ବଣମଇଁଷି, ଗାଈ, କୁକୁଡ଼ା ଦେଖିବାକୁ ମିଳେ । ଏହି ଉଦ୍ୟାନ ଲୁଣିପାଣିରେ ବଞ୍ଚୁଥିବା କୁମ୍ଭୀର, ଭାରତୀୟ ଅଜଗର, କଳା ଆଇବିସ ଓ ଡାର୍ଟରମାନଙ୍କ ବାସସ୍ଥଳୀ । ସେହିପରି ଗହୀର ମଥା ମୁହାଣରେ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛଙ୍କୁ ମଧ୍ୟ ଦେଖିବାକୁ ସୁଯୋଗ ମିଳିଥାଏ । ବେଳେବେଳେ ଏଠାରେ ଇରୱାଡ଼ୀ ଡଲଫିନ ମଧ୍ୟ ଦେଖିବାକୁ ମିଳନ୍ତି ।