ରାଜ୍ୟରେ ଗତ କିଛି ଦିନ ହେବ ପରିବା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ। ଆଜି କଟକର ଛତ୍ର ବଜାରରେ ପୋଟଳ ଦର କିଲୋ ପ୍ରତି ୧୦୦ ଟଙ୍କାରେ ପହଞ୍ଚିଛି । ବାଇଗଣ ୩୦, ଟମାଟୋ ୫୦ ଓ ଭେଣ୍ଡି ୬୦ ଟଙ୍କା ରହିଛି। ଏପରିକି ଅନ୍ୟାନ୍ୟ ପରିବାର ଦର ମଧ୍ୟ ଆକାଶଛୁଆଁ ରହିଛି। ୫୦୦ ଟଙ୍କା ବଜାରକୁ ନେଇଗଲେ ସୁଦ୍ଧା ପରିବା ବ୍ୟାଗ୍ ଭର୍ତ୍ତି ହେଉନାହିଁ । ତେଣୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ପାଗ କାରଣରୁ ପରିବା ସବୁ କମ୍ ସମୟରେ ନଷ୍ଟ ହୋଇ ଯାଉଛି । ଯେଉଁ କାରଣରୁ ବ୍ୟବସାୟୀ ବିକ୍ରି ପାଇଁ ଆଣୁଥିବା ପରିବା ପରିମାଣ କମାଇ ଦେଉଛନ୍ତି । ପରିବା ଦର ବୃଦ୍ଧି ସମ୍ପର୍କରେ ଛତ୍ରବଜାରର ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି ରାଜ୍ୟରେ ସ୍ୱଳ୍ପ ବର୍ଷା ହେତୁ ପରିବା ଉତ୍ପାଦନ ହ୍ରାସ ପାଇଛି । ଟମାଟୋ, କଦଳୀ, ସଜନା, ଭଳି କେତେକ ପରିବା ମଧ୍ୟ ରାଜ୍ୟ ବାହାରୁ ଆମଦାନୀ କରିବାକୁ ପଡ଼ୁଛି । ଆଖପାଖ ଅଞ୍ଚଳର ପରିବା କମ୍ ଆସୁଥିବାରୁ ପରିବା ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ସେ କହିଛନ୍ତି ।