ଭୁବନେଶ୍ୱର: ପୁରୀରେ ବିଶ୍ଵବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି ଫେରିପାଇବେ ଚାଷୀ । ଦିନେ ଦୁଇ ଦିନ ଭିତରେ ଚାଷୀ ମାନଙ୍କୁ ସେମାନଙ୍କ ଜମି ଫେରାଇ ଦିଆଯିବ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଦିଆଯାଇଥିବା ସମସ୍ତ ଜମି ଲୋକଙ୍କୁ ଫେରସ୍ତ କରାଯିବ । ସେହିପରି ରାଜ୍ୟ ସରକାର ଯେଉଁ ଜମି ଦେଇଥିଲେ ତାକୁ ମଧ୍ୟ ଫେରସ୍ତ ନେବେ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଜମି ଜମା ରେକର୍ଡକୁ ସଂଶୋଧନ କରି ଜମି ଫେରସ୍ତ କରାଯିବ । ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯିବ ଜମି ଫେରାଇବାକୁ । ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ନିଜ ଜମିକୁ ଦଖଲକୁ ନେବେ। ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ । ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ।
୨୦୦୬ ମସିହା ଜୁଲାଇ ୧୯ ତାରିଖରେ ପୁରୀରେ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ବେଦାନ୍ତ ଫାଉଣ୍ଡେସନ ସାଙ୍ଗରେ ଚୁକ୍ତିନାମା କରିଥିଲେ ତତ୍କାଳୀନ ରାଜ୍ୟ ସରକାର । ଏମଓୟୁ ହେବା ପରେ ତିନିଥର ନାଁ ପରିବର୍ତ୍ତନ ହୋଇଥିଲା । ୨୨ ଗାଁର ଲୋକେ ବାସଚ୍ୟୁତ ହୋଇଥିଲେ । ୪ ହଜାର ଶହେ ୭୮.୮୪ ଏକର ଘରୋଇ ଜମି ଦିଆଯାଇଥିଲା । ବାସଚ୍ୟୁତ ଲୋକଙ୍କ ମଧ୍ୟରୁ ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ୨୦୨୩ ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାୟମ ରଖିଥିଲେ । କାଗଜପତ୍ରରେ ଆଦେଶ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଦୁଇ ଦିନ ଭିତରେ ସରିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।
ଯଦି କାହାର କୌଣସି ଅଭିଯୋଗ ଥିଲେ ଜିଲ୍ଲାପାଳ ଜନ ଶୁଣାଣି କରିବେ । ସେଠାରେ ଜିଲ୍ଲାପାଳ ଏହାର ସମାଧାନ କରିବେ । ଏହା ଲୋକଙ୍କ ସରକାର । ବିଗତ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଆଇନ ଆଗରେ ଛିଡ଼ା ହୋଇ ପାରିଲା ନାହିଁ । ଯଦି ଏଥିରେ କୌଣସି ଦୁର୍ନୀତିର ଗନ୍ଧ ଆସେ ତେବେ ସରକାର ନିଶ୍ଚିତ ତଦନ୍ତ କରିବେ ।
ଏ ନେଇ କଂଗ୍ରେସର ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ଦାବି କରିଆସୁଥିଲା କି ଚାଷୀଙ୍କ ଜମି ଫେରାଇ ଦିଆଯାଉ କିନ୍ତୁ ବିଜେଡ଼ି ସରକାର ଶୁଣି ନ ଥିଲେ । କିନ୍ତୁ ବର୍ତ୍ତମାନ ସରକାର ଚାଷୀଙ୍କୁ ଜମି ଫେରାଇବାକୁ ଯେଉଁ ନିଷ୍ପତ୍ତି ନେଇଛି, ସେଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।