ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ନାଳରେ ପଡ଼ି ଦୁଇ ଶିଶୁ ସଲିଳ ସମାଧି ନେଇଛନ୍ତି । ମୃତ ଶିଶୁ ଦୁଇ ଜଣ ହେଲେ ସବନା ଖାତୁନ (୬) ଓ ରୁଜୁଆନା ଖାତୁନ (୫) ।
ପ୍ରାପ୍ତ ସୂଚନା ମୁତାବକ, ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ବାହାର୍ଦ୍ଦା ଗ୍ରାମର ସେକ ନିଜାମୁଦ୍ଦିନ୍ଙ୍କ ଝିଅ ସବନା ଖାତୁନ ଓ ସେକ ତୈରୁଦ୍ଦିନ୍ଙ୍କ ପାଞ୍ଚ ବର୍ଷର ଝିଅ ରୁଜୁଆନା ଖାତୁନ ବାହାରେ ଖେଳୁଥିଲେ । ଏହି ସମୟରେ ଉଭୟ ଏକ ପରିତ୍ୟକ୍ତ ନାଳରେ ପଡ଼ି ଯାଇଥିଲେ । ଦୀର୍ଘ ସମୟ ଧରି ଦୁଇ ଶିଶୁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଉଭୟଙ୍କୁ ପାଇ ନ ଥିଲେ । କିଛି ସମୟ ପରେ ନାଳରେ ଉଭୟ ଭାସୁଥିବାରୁ ଦେଖିଥିଲେ ପରିବାର ଲୋକ । ସବନା ଏବଂ ରୁଜୁଆନାଙ୍କୁ ପରିବାର ଲୋକ ତୁରନ୍ତ ଉଦ୍ଧାର କରି ବସ୍ତା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଖବର ଶୁଣିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଏ ନେଇ ବସ୍ତା ପୋଲିସକୁ ପରିବାର ଲୋକେ ଖବର ଦେଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଉଭୟଙ୍କ ମୃତ ଦେହକୁ ଜବତ କରିଛି । ଶିଶୁ ଦୁଇ ଜଣ କିପରି ସେଠାକୁ ଗଲେ, କେମିତି ତାଙ୍କର ମୃତ୍ୟୁ ହେଲା, ଏ ତମାମ ଦିଗକୁ ନେଇ ପଚରାଉଚରା କରୁଛି ।