ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଏକ ଦୁର୍ଘଟଣା ଘଟିଯାଇଛି । ଟ୍ରକକୁ ପଛ ପଟୁ ଏକ ଟ୍ରଲର ଧକ୍କା ଦେଇଛି । ଫଳରେ ଟ୍ରଲର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି ।
ସୂଚନା ଅନୁସାରେ ଆଜି ସକାଳୁ ଏକ ଟ୍ରଲର ବାଲେଶ୍ୱର ପଟୁ ପଶ୍ଚିମବଙ୍ଗ ଯାଉଥିବା ବେଳେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଟ୍ରଲର କ୍ୟାବିନ ସମ୍ପୂର୍ଣ୍ଣ ଚାପି ହୋଇଯାଇଥିବା ବେଳେ ଡ୍ରାଇଭର ସେଥିରେ ଫସି ରହିଯାଇଥିଲେ । ତେବେ ଏନେଇ ଖବର ପାଇ ଜାତୀୟ ରାଜପଥ ପୋଲିସ ଏବଂ ବସ୍ତା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଟ୍ରଲର କେବିନକୁ ଗ୍ୟାସ କଟରରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।