ଭୁବନେଶ୍ୱର: ମାଲକାନଗିରି ଜଳ ସମ୍ପଦ ବିଭାଗର ଉପ ନିର୍ଦ୍ଦେଶକ ସାନ୍ତନୁ ମହାପାତ୍ରଙ୍କ ଘରୁ ଭିଜିଲାନ୍ସ ଚଢ଼ାଉରେ ମିଳିଥିବା ନଗଦ ଟଙ୍କା ସମସ୍ତଙ୍କୁ ତାଜୁବ କରିଦେଇଛି । ଭିଜିଲାନ୍ସ ବୁଧବାର କରିଥିବା ଚଢ଼ଉରେ ନଗଦ ୧ କୋଟି ୯୮ ଲକ୍ଷ ଟଙ୍କା ଠାବ କରାଯାଇଛି । ତେବେ ଏହି କେବଳ ଏହି ଜଣେ ସରକାରୀ ବାବୁ ନୁହେଁ ବରଂ ଆଗରୁ ମଧ୍ୟ ଅନେକଙ୍କ ଘରୁ ୧ କୋଟିରୁ ନେଇ ୩ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ମିଳିଛି । ୨୦୧୬ରୁ ୨୦୨୫ ମଧ୍ୟରେ ମୋଟ ୮ ଜଣ ବଡ଼ ବଡ଼ ସରକାରୀ ଅଧିକାରୀଙ୍କ ଘରୁ ମିଳିଛି କୋଟି କୋଟି ନଗଦ ଟଙ୍କା । ସେଥିମଧ୍ୟରୁ ଗତ ୩ ବର୍ଷ ମଧ୍ୟରେ ଏପରି ୭ଟି ମାମଲା ଭିଜିଲାନ୍ସର ହସ୍ତଗତ ହୋଇଛି । ଏ ନେଇ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୨୫, ଫେବୃଆରୀ ୨ରେ ମାଲକାନଗିରି ଜଳଛାୟା ଉପ ନିର୍ଦ୍ଦେଶକ ସାନ୍ତନୁ ମହାପାତ୍ରଙ୍କ ଘରୁ ମିଳିଛି ନଗଦ ୧ ଏକ ୯୮ କୋଟି ଟଙ୍କା ।
୨୦୨୩, ଜୁନ ୨୨ରେ ନବରଙ୍ଗପୁରର ତତ୍କାଳୀନ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ବେଳେ ମିଳିଥିଲା ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା (୩,୧୨,୩୦,୮୦୦) ।
୨୦୨୩, ମାର୍ଚ୍ଚ ୩ରେ ଭୁବନେଶ୍ୱର ଖଣି ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରୁ ଠାବ କରାଯାଇଥିଲା ୧ କୋଟି ୬୪ ଟଙ୍କା ।
୨୦୨୨, ଅପ୍ରେଲ ୭ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମଆଇ କାର୍ତ୍ତିକେଶ୍ୱର ରାଉଳଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉବେଳେ ମିଳିଥିଲା ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା (୩,୪୧,୬୬,୨୮୦) । ଯାହାକି ଭିଜିଲାନ୍ସ ଇତିହାସରେ ଏପର୍ୟ୍ୟନ୍ତ ପ୍ରଥମ ନମ୍ବରରେ ରହିଛି ।
୨୦୨୨, ମାର୍ଚ୍ଚ ୨୫ରେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗ ବିଭାଗର ଅଧିକାରୀ ଆଶିଷ କୁମାର ଘରୁ ଭିଜିଲାନ୍ସ ଟିମ୍ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ କରିଥିଲା (୧,୪୦,୧୮,୦୭୦) ।
୨୦୨୨, ଫେବୃଆରୀ ୧୬ ତାରିଖରେ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ସୁକାନ୍ତ ଜେନାଙ୍କ ବାସଭବନରୁ ମିଳିଥିଲା ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା (୧,୧୩,୧୬,୭୨୦)
୨୦୨୨, ଡିସେମ୍ବର ୨୦ ତାରିଖରେ ଇଡକଲ୍ ଯୁଗ୍ମ ନିର୍ଦ୍ଦେଶକ ଗୟା ସନ୍ତରାଙ୍କ ବାସଭବନରେ ଚଢ଼ଉବେଳେ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା (୧,୦୬,୪୪,୫୦୦) ।
୨୦୧୬, ଫେବୃଆରୀ ୨୪ ତାରିଖରେ ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ନଗଦ ୧ କୋଟି ୧ ଲକ୍ଷ ୭୦ ହଜାର ୯୫୦ ଟଙ୍କା ଜବତ କରିଥିଲା ଓଡ଼ିଶା ଭିଜିଲାନ୍ସ ।