ଚନ୍ଦକା: ପୁଣି ପଦାରେ ପଡିଲା କମିଶନରେଟ ପୋଲିସର ଢିଲା ସୁରକ୍ଷା ବ୍ୟବସ୍ଥା । ଚନ୍ଦକା ଥାନାରେ କନେଷ୍ଟବଳକୁ ଧକ୍କା ଦେଇ ଥାନାରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଫେରାର ଅଭିଯୁକ୍ତ ପଶ୍ଚିମବଙ୍ଗର ରାଜା ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଗତମାସ ୨୮ ତାରିଖରେ ଆଇଫୋନ ଚୋରି ମାମଲାରେ ଅଭିଯୁକ୍ତ ରାଜାକୁ ଧରି ଚନ୍ଦକା ପୋଲିସ ଅଧିକ ପଚରାଉଚରା କରୁଥିଲା । ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିବା ବେଳେ ଥାନାର ସେଂଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ତାକୁ ଜଗିଥିଲେ । ଏହି ସମୟରେ ଅତି ଚତୁରତାର ସହିତ ଅଭିଯୁକ୍ତ ଜଣଙ୍କ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୈାଡି ପଳାଇଥିଲା । ଯାହା ଦ୍ୱାରା ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡିଛି ।