ଭଦ୍ରକ: ଭଦ୍ରକରେ କାଳୀପୂଜା ୭ ଦିନରୁ ୯ ଦିନକୁ ବୃଦ୍ଧି ହେଲା । କାଳୀପୂଜା ଅବଧି ୯ ଦିନକୁ ବଢାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷଠାରୁ ପ୍ରତିବର୍ଷ ୯ ଦିନ ଧରି କାଳୀ ପୂଜା ଆୟୋଜନ ହେବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ସୀତାଂଶୁ ମହାପାତ୍ରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇ ନିଷ୍ପତ୍ତି ନିଆଯାଇଛି । ୧୦ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ କାଳୀପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଟ୍ରୁପ ଯୋଗାଇ ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଅକ୍ଟୋବର ୨୯ରେ ଭସାଣ ଉତ୍ସବ ଲାଗି ସ୍ଥିର କରାଯାଇଛି ।
ଚଳିତବର୍ଷ ଭଦ୍ରକରେ କାଳୀପୂଜାକୁ ବହୁ ଆଡମ୍ବରରେ ମଧ୍ୟ କରାଯିବ । ଦିବ୍ୟାଙ୍ଗମାନେ କିପରି ଦର୍ଶନ କରିପାରିବେ ସେନେଇ ଭର୍ଚୁଆଲ ମାଧ୍ୟମରେ ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ କାଳୀପୂଜା ପାଇଁ ଏକ କମିଟି ଗଠନ ହେବ । ପୂଜା କେତେ ଦିନ ହେବ, ସେନେଇ ବ୍ୟବସ୍ଥା କରାଯିବ । ପୂଜାରେ ଆଇନ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଶୃଙ୍ଖଳାର ସହିତ କିପରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା ।