ଭୁବନେଶ୍ୱର: ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ହେଉଛି ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ଯାହାକି ଆମ ଦେଶର ବିକାଶମୂଳକ ଆବଶ୍ୟକତାକୁ ସମାଧାନ କରିବାର ଲକ୍ଷ୍ୟ ରଖିଛି।। ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ‘ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦’ସନ୍ଦର୍ଭରେ, ଭାରତୀୟ ଜ୍ଞାନ ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଜାତୀୟ ଶିକ୍ଷାନୀତି ମୂଳ ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତି ପ୍ରତ୍ୟେକ ବ୍ୟକ୍ତିର ସୃଜନଶୀଳ ସାମର୍ଥ୍ୟର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ଶିକ୍ଷା କେବଳ ଜ୍ଞାନଗତ କ୍ଷମତାର ବିକାଶ ନୁହେଁ – ସ୍ୱାକ୍ଷରତା ଏବଂ ସଂଖ୍ୟାଗତ ଦକ୍ଷତାର “ମୌଳିକ ସାମର୍ଥ୍ୟ” ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ । ରାଷ୍ଟ୍ରୀୟ ଶିକ୍ଷା ନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ, ଯାହାକି ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ, ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ ।
ଆଜିର ଯୁବବର୍ଗକୁ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ଗୌରବମୟ ଇତିହାସ ସହ ପରିଚିତ କରାଇବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ନିଜର ପ୍ରାଚୀନ ଜ୍ଞାନ ଏବଂ ସଂସ୍କୃତିକୁ ବଜାୟ ରଖିବା ଯେ କୌଣସି ଜାଗାରୁ ରାଷ୍ଟ୍ରର କର୍ତ୍ତବ୍ୟ ଅଟେ । ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ହେଉଛି ଉତ୍ତମ ମଣିଷ ସୃଷ୍ଟି କରିବା । ଏକ ଉତ୍ତମ ଶିକ୍ଷାନୁଷ୍ଠାନ ସେହିଠି ଯେଉଁଠି ଶିକ୍ଷାର୍ଥୀ ନିଜକୁ ଦ୍ୱିତୀୟ ଘର ଅନୁଭବ କରନ୍ତି, ଯେଉଁଠି ସୁରକ୍ଷିତ, ପ୍ରେରଣାଦାୟୀ ଓ ସମାନତାପୂର୍ଣ୍ଣ ପରିବେଶ ରହେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜାତୀୟ ଶିକ୍ଷାନୀତି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଦେଶପ୍ରେମର ଭାବନା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଶିକ୍ଷା କେବଳ ନିଜ ସ୍ୱାର୍ଥ ପାଇଁ ନୁହେଁ, ବରଂ ସମସ୍ତଙ୍କ ହିତ ଏବଂ ସମାଜ କଲ୍ୟାଣ ପାଇଁ ଅଟେ, ଏହା ହେଉଛି ଭାରତୀୟ ଜ୍ଞାନ ପରମ୍ପରାର ମୂଳ ମନ୍ତ୍ର ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଜ୍ଞାନ ପରମ୍ପରା, ଶିକ୍ଷା ସଂସ୍କାର, ଏବଂ ନୂତନ ଶିକ୍ଷାନୀତିର ଲକ୍ଷ୍ୟଗୁଡିକ ଉପରେ ଗଭୀର ଚର୍ଚ୍ଚା ଓ ଆଲୋଚନା ହୋଇଛି। ସଂଗୋଷ୍ଠୀର ଉଦ୍ଦେଶ୍ୟ ହେଉଛି ଭାରତୀୟ ଶିକ୍ଷା ଚିନ୍ତନ ଓ ପାରମ୍ପରିକ ଜ୍ଞାନ ସଂପଦକୁ ଆଧୁନିକ ଶିକ୍ଷା ସହ ସମନ୍ୱୟ କରିବା। ତିନି ଦିନ ଧରି ଚାଲୁଥିବା ସଂଗୋଷ୍ଠୀରେ “ଶିକ୍ଷା ଏବଂ ଭାରତୀୟ ମୂଲ୍ୟବୋଧ”, “ଭାରତୀୟ ଜ୍ଞାନ ପରମ୍ପରା ଓ ଆଧୁନିକ ଶିକ୍ଷା ସମନ୍ୱୟ”, “ରାଷ୍ଟ୍ରୀୟ ଶିକ୍ଷାନୀତିର ଭିତ୍ତିଭୂମି ଏବଂ ଦିଗନିର୍ଦ୍ଦେଶ” ଭଳି ବିଷୟ ଉପରେ ବିଶେଷ ଅଧିବେଶନ ହେବ।