ବରଗଡ଼,- ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବୃହତ୍ ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟାରେ ବରଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରୀ ଏବଂ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ଘୋଷଣା ହେଲା ତାରିଖ। ଦୀର୍ଘ ୧୧ଦିନ ବ୍ୟାପୀ ଚାଲିବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।
ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଦର୍ଶକ ତଥା ସ୍ଥାନୀୟ ଲୋକଙ୍କ ମନରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଅନୁଷ୍ଠିତ ଏଗି ବୈଠକରେ ଏଥର କଂସ ସମେତ ଅନ୍ୟ ପ୍ରମୁଖ କଳାକାରଙ୍କ ଚୟନ ପ୍ରକିୟା ନେଇ ଆଲୋଚନା ହୋଇଛି । ଏଥର ଧନୁଯାତ୍ରା ପାଇଁ ସମସ୍ତ କଳାକାର ନୂଆକରି ଚୟନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, ପ୍ରତି ୩ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ବିଧି ରହିଛି । ତେବେ ସ୍ବାସ୍ଥ୍ୟ ବିଭାଗରେ ସରକାରୀ ଡ୍ରାଇଭରଭାବେ କାର୍ଯ୍ଯରତ ଥିବାବେଳେ ପୂର୍ବତନ କଂସ କଳାକାର ହୃଷୀକେଶ ଭୋଇଙ୍କ ବିରୋଧରେ ଶବ ବାହକ ଗାଡିରେ ଶବ ପରିବହନ ବାବଦକୁ ଜଣେ ମୃତକଙ୍କଠାରୁ ଅର୍ଥ ଦାବି ଅଭିଯୋଗ ହେବା ସହିତ କଥାଟି ପୋଲିସକୁ ଯାଇଥିଲା ଏବଂ ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହା ସହିତ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଭଳି ବିବାଦୀୟ ହୋଇ ପଡିଥିବା ଯୋଗୁଁ ଗତବର୍ଷ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟର ସୁଯୋଗ ମିଳି ନ ଥିଲା। ବିଭିନ୍ନ ମହଲରେ ଦାବି ହେବା ପରେ ତାଙ୍କୁ କଂସ ଅଭିନୟରୁ ବାଦ୍ ଦେଇ ସେତେବେଳେ ସେଥର ପାଇଁ କେବଳ କଂସ କଳାକାର ଚୟନ ପ୍ରକିୟା ହୋଇଥିଲା। ଅନ୍ୟପଟେ ଇତିମଧ୍ୟରେ ଆଗକୁ ଆଉ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିବେ ନାହିଁ ବୋଲି ଗତ ଧନୁଯାତ୍ରା ମହୋତ୍ସବର କଂସ କଳାକାର ଭୁବନେଶ୍ୱର ପ୍ରଧାନ ଘୋଷଣା କରି ସାରିଛନ୍ତି। ସେହିପରି ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନକୁ ମଧ୍ୟ ୩ବର୍ଷ ପୂରି ଯାଇଛି। ତେଣୁ ଏଥର ନୂଆ କରି ସମସ୍ତ କଳାକାର ଚୟନ କରାଯିବ।