ଭୁବନେଶ୍ୱର: ଆଜିଠାରୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପାଇଁ ସମ୍ପୃକ୍ତ ବିଧାୟକ କିମ୍ବା ସାଂସଦମାନେ ସୁପାରିଶ କରି ପାରିବେ । ବିଧାୟକ ଏବଂ ସାଂସଦ ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ଆନ୍ତଃଜିଲ୍ଲା ବଦଳି ପାଇଁ ସୁପାରିଶ କରି ପାରିବେ ।
ଶିକ୍ଷକ ବଦଳି ପାଇଁ ଜାରି ହୋଇଥିବା କ୍ୟାଲେଣ୍ଡର ଅନୁସାରେ, ଏହି ଅବଧି ମେ ୧୫ରୁ ୩୦ ପର୍ୟ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଶିକ୍ଷକମାନେ ପୋର୍ଟାଲରେ ନିଜର ବଦଳି ପାଇଁ ଆବେଦନ କରି ପାରିବେ । ଜୁନ ୩ ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରସ୍ତାବିତ ଆବେଦନଗୁଡ଼ିକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବେ । ଜୁନ ୯ ତାରିଖରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବା ଡିଏଲଟିସି ଏହାକୁ ଅନୁମୋଦନ କରିବେ । ଓସେପା ୱେବସାଇଟରେ ବଦଳି ତାଲିକା ପ୍ରକାଶ ପାଇବ । ବଦଳି ହୋଇଥିବା ଶିକ୍ଷକମାନେ ନିର୍ଦ୍ଧାରିତ ବିଦ୍ୟାଳୟରେ ଜୁନ ୧୩ ତାରିଖରେ କାର୍ଯ୍ୟରେ ଯୋଗ ଦେବେ ।
ତେବେ ବିଧାୟକ ଓ ସାଂସଦମାନେ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ଅନୁସାରେ ବଦଳି ପାଇଁ ନାଁ ସୁପାରିଶ କରିପାରିବେ । ସରକାରଙ୍କ ଶିକ୍ଷକଙ୍କ ବଦଳି ନୀତି ଉଲ୍ଲଂଘନ ହେଉ ନ ଥିବ । ଜରୁରୀ ଆବଶ୍ୟକତା ଅନୁସାରେ ବଦଳିକୁ ପ୍ରାଥମିକତା ଦିଆଯିବ । କୌଣସି ସ୍ଥିତିରେ ଗ୍ରାମାଞ୍ଚଳ ଶିକ୍ଷକ ସହରାଞ୍ଚଳକୁ ବଦଳି ପାଇଁ ସୁପାରିଶ କରାଯାଇପାରିବ ନାହିଁ । ଏହି ବଦଳି କେବଳ ଜିଲ୍ଲା ଭିତରେ ସୀମିତ ରହିବ । ଚଳିତଶିକ୍ଷା ବର୍ଷ ପାଇଁ ସୁପାରିସ ବ୍ୟବସ୍ଥା ମେ’ ୧୫ ତାରିଖରୁ ଜୁନ୍ ୧୫ ଜୁନ ଯାଏଁ ଲାଗୁ ହେବ । ଏହାସହ ସାଂସଦ ଓ ବିଧାୟକଙ୍କ ସୁପାରିସ ସେହି ବର୍ଷର ଶିକ୍ଷା ବର୍ଷ ପାଇଁ ଉଦ୍ଦିଷ୍ଟ ରହିବ ।
ଅନ୍ୟପକ୍ଷରେ ବଳକା ଥିବା ଓ ଖାଲି ପଡ଼ିଥିବା ଶିକ୍ଷକ ତାଲିକା ରେସନାଲାଇଜେସନ୍ କ୍ଷେତ୍ରରେ ମେ ୧୭ ତାରିଖରେ ଓସେପା ଦ୍ୱାରା ଜିଲ୍ଲାଗୁଡ଼ିକୁ ଦିଆଯିବ । ମେ ୨୬ରେ କମିଟି ଗଠନ କରାଯାଇ ଜୁନ ୩ରେ ତାଲିକା ପ୍ରକାଶ ପାଇବ । ଜୁନ ୧୨ରେ ଡିଇଓ ବଦଳି ତାଲିକା ପ୍ରକାଶ କରିବେ । ସମ୍ପୃକ୍ତ ଶିକ୍ଷକମାନେ ଜୁନ ୧୩ରେ କାର୍ଯ୍ୟରେ ଯୋଗ ଦେବେ ।