ପୁରୀ: ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ କୋଟି ଓଡ଼ିଆଙ୍କ ମଉଡ଼ମଣି । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ। ସେଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଆଉ ଲୋକାରଣ୍ୟ ବଡଦାଣ୍ଡ । ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । AI ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।
ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦିବ୍ୟ ସ୍ନାନ ପାଇଁ ନୀତି ମଧ୍ୟ ନିର୍ଘଣ୍ଟ କରାଯାଇଛି । ଧାର୍ଯ୍ୟ ସମୟ ଅନୁସାରେ ନୀତି କିପରି ସମାପନ ହେବ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ। ସ୍ନାନ ପରେ ଜ୍ୱରରେ ପଡିବେ ମହାପ୍ରଭୁ। ଏହାପରେ ଉପଶମ ପାଇଁ ଚାଲିବ ଉପଚାର। ଦଇତାପତି ସେବକମାନେ ଏହି ଗୁପ୍ତ ସେବା କରିବେ। ମହାପ୍ରଭୁ ସୁସ୍ଥ ହେବା ପରେ ଜୁନ୍ ୨୭ ତାରିଖରେ ରଥରେ ବସି ଯିବେ ଜନ୍ମବେଦୀକୁ।