ଭୁବନେଶ୍ୱର: ନୂଆ ବର୍ଷ ଉପଲକ୍ଷେ ପୁରୀରେ ନାହିଁ ନ ଥିବା ଭିଡ଼ ହେଉଛି । ତେଣୁ ବର୍ତ୍ତମାନ ସମୟରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ତେବେ ଆସନ୍ତା ଜାନୁୟାରୀ ୨୦ରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକଭାବେ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ ଆସନ୍ତା ୨-୩ ତାରିଖ ପର୍ଯ୍ୟନ୍ତ ପୁରୀରେ ଭକ୍ତଙ୍କ ଭିଡ଼ ରହିବ । ତେଣୁ ଏବେ ଧାଡ଼ି ଦର୍ଶନ ପରୀକ୍ଷା କରାଯାଇ ପାରିବ ନାହିଁ । ଭିଡ଼ କମିଲେ ଆସନ୍ତା ୨୦ ତାରିଖରେ ଏହାକୁ ପରୀକ୍ଷା କରାଯିବ । ଥରେ ଧାଡ଼ି ଦର୍ଶନରେ ଭକ୍ତ ଦର୍ଶନ କରି ଅଭ୍ୟସ୍ତ ହେଲେ ଆଗାମୀ ଦିନରେ କୌଣସି ବିଶୃଙ୍ଖଳା ହେବ ନାହିଁ ବୋଲି ଆଶାବ୍ୟକ୍ତ କରିଛନ୍ତି ମନ୍ତ୍ରୀ ।
ନୂଆ ବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ । ଶ୍ରୀମନ୍ଦିରଠାରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଲାଗିଛି ଲମ୍ବା ଲାଇନ୍ । ଆଶାଠାରୁ ଅଧିକ ମାତ୍ରାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପୁରୀର ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରାୟ ୩ ରୁ ୪ ଘଣ୍ଟା ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥିଲା । ପ୍ରବଳ ଭିଡ଼ ଯୋଗୁଁ କିଛି ଭକ୍ତ ଅସୁସ୍ଥ ମଧ୍ୟ ହୋଇ ପଡ଼ିଥିଲେ । ତେବେ ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।
ଡିସେମ୍ବର ୩୧ ଓ ଜାନୁଆରୀ ୧ ରେ କେବଳ ସିଂହଦ୍ଵାର ପଟେ ଭକ୍ତମାନେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ।ଭକ୍ତ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ପୁରୀ ପୋଲିସ ପକ୍ଷରୁ ସେନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଉଦ୍ଧାରକାରୀ ଦଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ୩୧ ତାରିଖ ରାତିଠାରୁ ୧ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।