ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ମଧ୍ୟ ପ୍ରଶ୍ନକାଳ ଧୋଇ ଯାଇଛି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ସାଢ଼େ ଏଗାରଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ।
ଗୃହର ତୃତୀୟ ଦିନର କାର୍ଯ୍ୟଦିବସରେ ଯାହା ଆଶା କରାଯାଉଥିଲା ତାହା ହୋଇଛି । ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ହଟ୍ଟଗୋଳ କରିଛନ୍ତି । ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ମୁଖ୍ୟ ବିରୋଧୀ ବିଜେଡ଼ି ଧାନ ମଣ୍ଡି ଅବ୍ୟବସ୍ଥା, ଚାଷୀ ମାରଣନୀତି, କଟନୀ ଛଟନୀ ଆଦିକୁ ପ୍ରସଙ୍ଗ କରି ହଙ୍ଗାମା ଆରମ୍ଭ କରିଥିଲା । ସେହିପରି କଂଗ୍ରେସ ଚାଷୀ ସମସ୍ୟା ଏବଂ ୩୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ଛାଡ଼ ପ୍ରତିଶ୍ରୁତି ପାଳନକୁ ପ୍ରସଙ୍ଗ କରିଥିଲେ । ସମସ୍ତ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରି ଗୃହକୁ କମ୍ପାଇ ଥିଲେ । ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିବାକୁ କହିଥିଲେ । ତଥାପି କୌଣସି ସଦସ୍ୟ ନ ଶୁଣିବାରୁ ଗୃହ ଚଳାଇବା ଅସମ୍ଭବ ହୋଇପଡ଼ିଥିଲା । ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ। ଏହା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ । ତେବେ ତୃତୀୟ ଦିନରେ ମଧ୍ୟ ଗୃହ ସରଗରମ ରହିବାର ସମ୍ଭାବନା ରହିଛି ।