ଭୁବନେଶ୍ୱର ; ରାଜଧାନୀରେ ଜମୁଛି ତୋଷାଳୀ ମେଳା। ଚିକିମିକି ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନେଶ୍ୱରର ରାସ୍ତାଘାଟ। ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ। ତେଣୁ ସନ୍ଧ୍ୟା ହେଲେ ତୋଶାଳୀ ମେଳାରେ ରାଜଧାନୀବାସୀଙ୍କ ଭିଡ଼। ତେବେ ଚଳିତ ବର୍ଷ ମେଳାର ଆକର୍ଷଣ ପାଲଟିଛି ଡବଲ ଡେକର ବସ୍ ରେ ଫୁଡ ଷ୍ଟଲ। ଓଡ଼ିଶାର ପ୍ରାଚୀନ କଳା ଓ ସ୍ଥାପତ୍ୟର ପରିଚୟ ମୁଗୁନି ପଥରରେ ତିଆରି ହୋଇଛି ବିଭିନ୍ନ ପ୍ରକାରର ବାସନ,ଛୋଟ ଛୋଟ ଖାଦ୍ୟ ପତ୍ର, ହେମଦସ୍ତା ଆଦି ବିଭିନ୍ନ ପ୍ରକାରର ଘର କରଣା ସାମଗ୍ରୀ। ଏଥିସହିତ ମୁଗୁନି ପଥର ତିଆରି ମୂର୍ତ୍ତି ଗୁଡିକ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଛି ।
ତେବେ ଚଳିତବର୍ଷ ଏହି ମେଳାରେ ୯୦୫ ଗୋଟି ଷ୍ଟଲ ରହିଛି। ଯେଉଁଠି ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜିତରେ ବିଭିନ୍ନ ରାଜ୍ୟରୁ ୧୫୦ ଗୋଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଷ୍ଟଲରେ ବୁଣାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ। ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ ଯଥାକ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ସେମାନଙ୍କ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରୁଛନ୍ତି।
ଏହାସହିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଉତ୍ପାଦ ୨୦୦ ଗୋଟି ଷ୍ଟଲରେ ଉପଲବ୍ଧ ହେବ। ୬୦ ଗୋଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଚାଖିବେ। ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ୪ ଗୋଟି ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ ହୋଇଛି। ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ମେଳା ଭଲ ସୁଯୋଗ ପ୍ରଦାନ କରିଛି ସଭିଙ୍କର ମତ ରହିଛି।