ପୁରୀ: ଗୋପ ଥାନା ଅଞ୍ଚଳ କୁଣ୍ଡିସ ଗାଁରେ ଜଣେ ମହିଳାଙ୍କ ହାତ ଗୋଡ଼ ବାନ୍ଧି ଘରେ କଳାକନା ବୁଲାଇଲେ ଲୁଟେରା। ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟେରା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ କୁଣ୍ଡିସ ଗାଁର ଝୁମୁରୀଙ୍କ ଘରୁ ଲୁଟେରା ଆଲମୀରା ଭାଙ୍ଗି ସୁନା ଓ ରୁପା ଅଳଙ୍କାର ସହ ନଗଦ ୧୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି । ଝୁମୁରୀଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ପରେ ସେ ଘରେ ଏକା ରହୁଥିଲେ । ଅନ୍ୟ ପରିବାର ଲୋକେ ବାହାରେ ରୁହନ୍ତି । ଝୁମୁରୀ ଘରେ ଏକା ରହୁଥିବାର ଜାଣି ଲୁଟେରା ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ଝୁମୁରୀ ଉଠି ପାଟି କରିବାରୁ ଲୁଟେରା ତାଙ୍କ ହାତ ଗୋଡ଼ ବାନ୍ଧି ଘରୁ ଲୁଟ କରିଥିଲେ । ଲୁଟ କରି ସାରିବା ପରେ ଲୁଟେରା ଫେରାର ହୋଇଯାଇଥିଲେ । ସକାଳୁ ସ୍ଥାନୀୟ ଲୋକେ ଝୁମୁରୀଙ୍କୁ ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଏନେଇ ଗୋପ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ଗୋପ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।