ଅନୁଗୁଳ: ପୁଣି ଅନୁଗୁଳରେ ପୋଲିସର ଏନ୍କାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ଆହତ ଅପରାଧୀ କ୍ଷୀରୋଦ ନାୟକ ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଅନୁଗୁଳ ପୋଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା ଯେ, ଟାଉନ୍ ଥାନା ହନୁମାନ ବାଟିକା ନିକଟରେ କ୍ଷୀରୋଦ ନାୟକ କୌଣସି ଏକ ଡକାୟତି ଯୋଜନା କରୁଛି । ଏନେଇ ପୋଲିସ ଓ ସ୍ପେସାଲ ସ୍କ୍ୱାର୍ଡ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଚଢାଉ ସମୟରେ କ୍ଷୀରୋଦ ନିଜକୁ ବଞ୍ଚେଇବାକୁ ଯାଇ ପୋଲିସ ଉପରକୁ ଗୁଳିଚାଳନା କରିଥିଲା । ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ପୋଲିସର ଗୁଳିରେ ଅପରାଧୀ ଆହତ ହୋଇଥିଲା । ଅପରାଧୀକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କ୍ଷୀରୋଦ ନାଁରେ ୩୦ରୁ ଅଧିକ ମାମଲା ଅଛି ବୋଲି ଜଣାପଡିଛି ।
ଗତ କିଛି ଦିନ ପୂର୍ବରୁ ଅନୁଗୁଳ ପୋଲିସ କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକଙ୍କୁ ଏନକାଉଣ୍ଟର କରିଥିଲା । ଗୁରୁତର ଅବସ୍ଥାରେ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଗୋଟେ ସପ୍ତାହ ମଧ୍ୟରେ ଅନୁଗୁଳରେ ଦୁଇଟି ଏନ୍କାଉଣ୍ଟର ପୋଲିସ କରିଛି ।