ଭୁବନେଶ୍ୱର: ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଚାଲିବ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ମୃଣାଳକାନୀ ଦାସ ସୂଚନା ପ୍ରଦାନ କରିଛନ୍ତି ।
ଯୁକ୍ତ ଦୁଇ ପରୀକ୍ଷା ପାଇଁ ସର୍ବମୋଟ ୪ ଲକ୍ଷ ୭ ଶହ ୩୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । କଳାରେ ୨ ଲକ୍ଷ ୫୬ ହଜାର ୪୩ ଜଣ, ବାଣିଜ୍ୟରେ ୨୪ ହଜାର ୫୩୩ ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୨୩୮ ଜଣ ଏବଂ ଧନ୍ଦମୂଳକରେ ୫ ହଜାର ୯୨୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ସେହିପରି ଜାନୁୟାରୀ ୨ ତାରିଖରୁ ୧୫ ତାରିଖ ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ । । ଏଥିପାଇଁ ଫର୍ମ ପୂରଣ ଶେଷ ହୋଇଥିବାବେଳେ ଡିସେମ୍ବର ୧୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରବେଶିକା ପତ୍ର ବା ଆଡମିଟ୍ କାର୍ଡ ପ୍ରଦାନ କରାଯିବ ।
ଡିସେମ୍ବର ୨୨ ତାରିଖରୁ ୩୧ ତାରିଖ ଯାଏ ଇଣ୍ଟରନାଲ୍ ପରୀକ୍ଷା ହେବ । ଯେଉଁମାନେ ଏହି ସମୟରେ ପରୀକ୍ଷା ଦେଇ ପାରିବେ ନାହିଁ ସେମାନେ ଜାନୁୟାରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ଇଣ୍ଟରନାଲ୍ ପରୀକ୍ଷା ଦେଇ ପାରିବେ ।
ସେହିପରି ସାରା ରାଜ୍ୟରେ ମୋଟ ୧୩୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ ୨୧୦ଟି ହବ୍ ରହିଛି । ପରୀକ୍ଷା ହବଗୁଡ଼ିକରେ ଏଆଇ କ୍ୟାମେରା ନଜର ରଖିବ । ସେପଟେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁପରିଚାଳନା ଏବଂ ସ୍ୱଚ୍ଛତା ପାଇଁ ସିସିଟିଭି କ୍ୟାମେରା, ଲାଇଭ୍ ଷ୍ଟ୍ରିମିଂ ଓ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯିବ । ପ୍ରାକ୍ଟିକାଲ ପରୀକ୍ଷାକୁ ସୁପରିଚାଳନା କରିବାକୁ ଲାଇବ୍ ଷ୍ଟ୍ରିମିଂ ଏବଂ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।