ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଏକ ବଡ଼ ଧରଣର ମାଓବାଦୀ ବିରୋଧୀ ଅପରେସନ୍ ଆରମ୍ଭ ହୋଇଛି । ବୁଧବାର ଲାଲବାହିନୀ ସହିତ ସୁରକ୍ଷାବାହିନୀ ଘମାଘୋଟ ଗୁଳି ବିନିମୟ ହୋଇଛି । ଏଥିରେ ୧୨ ଜଣ ମାଓବାଦୀ ନିପାତ ହୋଇଥିବା ୩ ଜଣ ଯବାନ ସହିଦ ହୋଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।
ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଡିଆରଜିର ରହିଥିବାବେଳେ ଆଉ ଜଣେ ଛତିଶଗଡ଼ ପୋଲିସର ଅଟନ୍ତି । ସହିଦ ଯବାନମାନେ ହେଲେ ଡିଆରଜିର ମୋନୁ ଭଡ଼ାଡି ଓ କନଷ୍ଟେବଳ ଡୁକାରୁ ଗୋଣ୍ଡେ ଏବଂ ଅନ୍ୟ ଜଣଙ୍କ ପରିଚୟ ମିଳି ପାରି ନାହିଁ । ସେହିପରି ଆଉ ଜଣେ ଡିଆରଜି ଯବାନ ସୋମଦେବ ଯାଦବ ଗୁରୁତର ଆହତ ହୋଇଛନ୍ତି । ବିଜାପୁର-ଦନ୍ତେୱାଡ଼ା ଜିଲ୍ଲା ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିବା ବସ୍ତର ପୋଲିସ ରେଞ୍ଜ ଆଇଜି ସୁନ୍ଦରରାଜ ପଟ୍ଟିଲିଙ୍ଗମ୍ ସୂଚନା ଦେଇଛନ୍ତି ।
ଆଜି ଦନ୍ତେୱାଡ଼ା ଏବଂ ବିଜାପୁରର ଡିଷ୍ଟ୍ରିକ୍ଟ ରିଜର୍ଭ ବାଟାଲିୟନ୍, ସ୍ପେଶାଲ୍ ଟାସ୍କ ଫୋର୍ସ, ରାଜ୍ୟ ପୋଲିସର ଦୁଇଟି ୟୁନିଟ୍ ଓ କୋବ୍ରା ବାହିନୀଙ୍କୁ ନେଇ ମିଳିତ ଅପରେସନ୍ କରାଯାଇଥିଲା । ଏହି ସମୟରେ ମାଓବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ବହୁ ସଂଖ୍ୟକ ମାଓବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ମୃତ ଦେହ ଜବତ ହୋଇଛି । ଏହା ସହିତ ଏସଏଲଆର୍ ରାଇଫଲ, ଥ୍ରୀ ନଟ୍ ଥ୍ରୀ ରାଇଫଲ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସେହିପରି ଗୁରୁତର ଯବାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।
ତେବେ ଚଳିତ ବର୍ଷ ଏଯାବତ ଛତିଶଗଡ଼ରେ ୨୭୦ ମାଓବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।