ଭୁବନେଶ୍ୱର : ମାପ ଓଜନରେ ସାଧାରଣ ଖାଉଟିଙ୍କୁ ଠକୁଛନ୍ତି ଦୋକାନୀ ଯାହାଦ୍ବାରା ଗ୍ରାହକ ହତାଶ। ଦୁଇ ବର୍ଷରେ ସାମ୍ନାକୁ ଆସିଲାଣି ୧୫୩ ମାମଲା। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ।
ଆଜି ବିଧାନସଭା ଗୃହରେ ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ପ୍ରଶ୍ନ କରିଥିଲେ କି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅନୁଗ୍ରହ କରି କହିବେ କି ମାପ ଓ ଓଜନ ବିଭାଗ ତରଫରୁ ବିଗତ ୨ ବର୍ଷରେ ରାଜ୍ୟରେ କେତେ ଅସାଧୁ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଚଢାଉ ହୋଇଥିଲା; ସର୍ବମୋଟ କେତେ ଫାଇନ ଆଦାୟ ହୋଇଥିଲା ଓ କେତେ ବ୍ୟବସାୟୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ଜିଲାୱାରୀ ତାଲିକା ଦେବେ କି ?
ଉତ୍ତରରେ ଖାଉଟି ମନ୍ତ୍ରୀ ତଥ୍ଯ ରଖି କହିଛନ୍ତି ଯେ, ମାପ ଓ ଓଜନ ବିଭାଗ ତରଫରୁ ବିଗତ ୨ ବର୍ଷରେ ୩୧୨୩୨୬ ଚଢ଼ାଉ ହୋଇଥିବା ବେଳେ ୧୦୭୫୬ ମକୋଦ୍ଦମା ରୁଜୁ ହୋଇଛି। ସେଥିରୁ କେବଳ ମାପ ଓ ଓଜନରେ ୧୫୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ ବାକି ୧୦ ହଜାର ୬୦୩ ଅନ୍ୟ କାରଣ ପାଇଁ ମକୋଦ୍ଦମା ହୋଇଛି। ସରକାର ମୋଟ ୩କୋଟି ୧୧ଲକ୍ଷ ୭୫୦ ଟଙ୍କା ଫାଇନ ଆଦାୟ କରିଛନ୍ତି। ତା ଭିତରୁ ମାପ ଓ ଓଜନ ଠକେଇ ବାବଦ ଫାଇନ ୨୩ ଲକ୍ଷ ୫୧ହଜାର ଟଙ୍କା ରହିଛି।