ଭୁବନେଶ୍ଵର: ବେଆଇନ ଗଞ୍ଜେଇ ଚାଷ ରୋକିବାରେ ଓଡ଼ିଶା ପୁଲିସ୍ ନିରନ୍ତର ଉଦ୍ୟମ ଜାରି ରଖିଛି। ସ୍ଵତନ୍ତ୍ର ଯୋଜନା, ନୂତନ କୌଶଳ, ଡ୍ରୋନ ଏବଂ ସାଟେଲାଇଟ ଦ୍ଵାରା ଗଞ୍ଜେଇ ଚାଷ ଜମି ଠାବ କରିବା ସହ ଗୁଇନ୍ଦା ତଥ୍ୟ ଆଧାରରେ ବିଭିନ୍ନ ଜିଲ୍ଲାରେ ହଜାର ହଜାର ଏକର ଗଞ୍ଜେଇ ଚାଷ ସମୂଳେ ଧ୍ଵଂସ କରିବାରେ ପୁଲିସ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ରାଜ୍ୟବାସୀଙ୍କ ସୁରକ୍ଷା ଓ ଯୁବପୀଢିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାର ପୁଲିସ ସ୍ଵତନ୍ତ୍ର ଟିମ୍ ଗଠନ କରି ଅଭିଯାନ ଜାରି ରଖିଛନ୍ତି। ଗଞ୍ଜେଇ ଚାଷ ହେଉଥିବା ଦୁର୍ଗମ ଅଞ୍ଚଳକୁ ଚିହ୍ନଟ କରି ଏକର ଏକର ଅବୈଧ ଚାଷକୁ ନଷ୍ଟ କରି ରାଜ୍ୟରେ ଚୋରା ମାଦକ ଦ୍ରବ୍ୟ ବିରୋଧୀ ଲଢ଼େଇକୁ ଅଧିକ ତ୍ଵରାନ୍ଵିତ କରାଯାଉଛି।
ଚଳିତ ବର୍ଷ ଅଦ୍ୟାବଧି ୧୮, ୧୧୧ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ଏହି ଅଭିଯାନ ଆଗାମୀ ମାର୍ଚ ୨୦୨୬ ପର୍ଯନ୍ତ ଜାରି ରହିବ। ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୪୭୩ ଟି ମାମଲା ରୁଜୁ କରାଯାଇଥିବାବେଳେ କେବଳ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୮୧ ଟି ମାମଲା ରୁଜୁ କରାଯାଇ ୭ ହଜାର ୭୫୭ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ସେହିପରି କନ୍ଧମାଳ ଜିଲ୍ଲାରେ ୧୩୨ ଟି ମାମଲା ରୁଜୁ ହୋଇଥିବା ବେଳେ ୯ ହଜାର ୩୧୩ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।ଏହାବ୍ୟତୀତ ରାୟଗଡା ଜିଲ୍ଲାରେ ୩୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୪ ଏକର, ମାଲକାନାଗିରିରେ ୩୫ ଟି ମାମଲା ସହ ୪୮୩ ଏକର, କୋରାପୁଟରେ ୨୨ ଟି ମାମଲା ସହ ୫୦୮ ଏକର, ଗଜପତିରେ ୪୫ ଟି ମାମଲା ସହ ୬୫୦ ଏକର, ଗଞ୍ଜାମରେ ୨୧ ଟି ମାମଲା ସହ ୧୬୨ ଏକର, କେନ୍ଦୁଝରରେ ୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ରାଜ୍ୟର ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି। ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଖୁରାନିଆ ଚେତାବନୀ ଦେଇଛନ୍ତି।
ସେପଟେ ସ୍ୱଳ୍ପ ସମୟ ମଧ୍ୟରେ ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ଆମ ପାଇଁ ବଡ଼ ସଫଳତା ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୫୯୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦, ୮୦୩ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା।
ଅଧିକ ପଢନ୍ତୁ: ଅର୍ଥନୈତିକ ସଙ୍କଟ ଦେଇ ଗତି କରିବ କି ଭାରତ? ରେକର୍ଡ ସ୍ତରକୁ ଖସିଲା ଟଙ୍କାର ମୂଲ୍ୟ; ଡଲାର ତୁଳନାରେ ପହଞ୍ଚିଲା ସର୍ବନିମ୍ନ ସ୍ତରରେ