ନିଆଳି: ଭଡ଼ା ଘର ପାଇଖାନାରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା କଟକ କଣ୍ଟାପଡ଼ା ଗୋବିନ୍ଦପୁର ଅଞ୍ଚଳରେ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତ ଛାତ୍ରୀ ଜଣକ କେନ୍ଦୁଝର ଘଷିପୁରା ଅଞ୍ଚଳର ସୁଶୋଭିତା ସାହୁ ।
ସୂଚନା ଅନୁସାରେ, ସୁଶୋଭିତା ସାହୁ କଟକ କଣ୍ଟାପଡ଼ା ଗୋବିନ୍ଦପୁର ଦେବୀ ବିହାର କଲେଜର ପିଜି ଛାତ୍ରୀ ଅଟନ୍ତି । ସେ କେନ୍ଦୁଝରରୁ ଆସି କଟକରେ ଏକ ଭଡା ଘରେ ରହି ପାଠ ପଢୁଥିଲେ । କିନ୍ତୁ ତାଙ୍କ ମୃତଦେହ ଭଡ଼ା ଘର ପାଇଖାନାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଗୋବିନ୍ଦପୁର ପୋଲିସ ଓ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଖବର ପାଇ, ପୋଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଝୁଲନ୍ତା ଅବସ୍ଥାରେ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ ସୃଷ୍ଟି ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।