ବରଗଡ଼: ଆସନ୍ତା ମେ ୧୧ ତାରିଖରୁ ବରଗଡ ଜିଲ୍ଲାରେ ଧାନ ମଣ୍ଡି ଖୋଲିବ । ଅତାବିରା ମାର୍କେଟୟାର୍ଡରୁ ରବି ଋତୁ ଧାନ କିଣା ଆରମ୍ଭ ହେବ । ଡିଏଲପିସି ବୈଠକ ପରେ ଜିଲ୍ଲାପାଳ ତାରିଖ ଘୋଷଣା କରିଛନ୍ତି ।
ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଲପିସି ବୈଠକ ବସିଥିଲା । ଏଥିରେ ଚାଷୀ ପ୍ରତିନିଧି, ସ୍ଥାନୀୟ ବିଧାୟକ, ବିଜେଡ଼ି ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇଥିଲେ । ତେବେ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ୫୩ଟି ପ୍ୟାକ୍ସ ଜରିଆରେ ୧୮୩ ଟି ମଣ୍ଡିରେ ଧାନ କିଣା ବିକା ପ୍ରକ୍ରିୟା ଜିଲ୍ଲାର ସମସ୍ତ ବ୍ଲକରେ କରାଯିବାକୁ ନେଇ ବିଧିବଦ୍ଧ ଭାବେ ନିଷ୍ପତି ନିଆଯାଇଛି।
କିନ୍ତୁ ଏଥିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ମଧ୍ୟରେ କଥାକଟି ହୋଇଥିଲା । ଖରିଫ ଧାନ ଉଠାଣକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଚାଷୀଙ୍କ ଧାନ ନ ଉଠିଥିବାରୁ ଦୀର୍ଘ 47 ଦିନ ହେଲା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା ପ୍ରଦର୍ଶନ କରୁଥିବା ଚାଷୀଙ୍କ ଧାନ କିଣା ଯିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ବିଧାୟିକା ବର୍ଷା ସିଂ ବରିହା । ଆଗେ ଖରିଫ ଧାନ ଉଠାଅ ପରେ ରବି ଋତୁ ବୈଠକ କରିବ କହିଥିଲେ ଚାଷୀ ପ୍ରତିନିଧି ବିରେନ୍ଦ୍ର କର । ଅନ୍ୟପଟେ ବୈଠକ ପୂର୍ବରୁ କିଛି ଚାଷୀ ନେତାଙ୍କୁ ପୋଲିସ ଅଟକ ରଖିଥିବା ଅଭିଯୋଗ କରି ବୈଠକ ବର୍ଜନ କରି ଅଧାରୁ ଉଠି ଯାଇଥିଲେ ଚାଷୀ ପ୍ରତିନିଧି ବିରେନ୍ଦ୍ର କର ।