ତୀବ୍ର ଗ୍ରୀଷ୍ମ ତାପମାନ ମଧ୍ୟରେ ଶ୍ରମିକଙ୍କ ସୁରକ୍ଷାକୁ ଅବହେଳା କରାଯାଇଥିବା ଘଟଣାକୁ ନେଇ ଆକ୍ସନ ମୋଡ଼କୁ ଆସିଛି ଶ୍ରମ ବିଭାଗ। ଝାରସୁଗୁଡାରେ ରେଳବାଇ ଓଭରବ୍ରିଜ୍ ନିର୍ମାଣ ସ୍ଥଳରେ ଅପରାହ୍ନ ସମୟରେ କାମ ଚାଲିଥିବା ଖବର ମିଳିବା ପରେ ଶ୍ରମ ବିଭାଗ ତୁରନ୍ତ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପ୍ରାୟ ୧୨ ଜଣ ଶ୍ରମିକଙ୍କୁ ତୀବ୍ର ଖରା ମଧ୍ୟରେ କାମ କରୁଥିବା ଧରିପଡ଼ିଥିଲା। ଯେଉଁଥିରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିୟମ ଅନୁଯାୟୀ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରେ କାମ କରାଇବାକୁ ପୂର୍ଣ୍ଣ ନିଷେଧ ରହିଛି। ଏହି ନିୟମ ଉଲ୍ଲଂଘନକୁ ଗୁରୁତ୍ୱର ସହିତ ନେଇ ସମ୍ବନ୍ଧିତ ନିର୍ମାଣ ସଂସ୍ଥାକୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଅଧିକାରୀମାନେ କଡ଼ା ସତର୍କବାଣୀ ଦେଇ କହିଛନ୍ତି, ଖରା ସମୟରେ ଶ୍ରମିକଙ୍କୁ କାମରେ ଲଗାଇଲେ ଆଗାମୀ ଦିନରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ଶ୍ରମିକଙ୍କ ସୁରକ୍ଷା ପାଇଁ ପିଇବା ପାଣି, ଛାୟା ବ୍ୟବସ୍ଥା, ଚିକିତ୍ସା ସୁବିଧା ଓ କାମ ସମୟର ପରିବର୍ତ୍ତନକୁ ଅନିବାର୍ଯ୍ୟ କରାଯାଇଛି।
ଏବେ ଝାରସୁଗୁଡାରେ ତାପମାନ ୪୪° ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି। ଏପରି ସ୍ଥିତିରେ ଶ୍ରମିକଙ୍କ ସୁରକ୍ଷାକୁ ଅବହେଳା କରାଯାଇବା ନେଇ ଚିନ୍ତା ବଢ଼ିଛି। ଏହି ଘଟଣା ପୁନର୍ବାର ହେଲେ ବା ନିୟମ ଅମାନ୍ୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।