ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ଶୁକ୍ରବାର ଅପରାହ୍ନ ୨.୩୦ ସୁଦ୍ଧା ୪୪ ଡିଗ୍ରୀ ଛୁଇଁଲା ଝାରସୁଗୁଡା ତାପମାତ୍ରା । ଏହାପରେ ସମ୍ବଲପୁର ୪୨.୮ ଡିଗ୍ରୀ ତାପମାତ୍ରା ସହ ଦ୍ବିତୀୟ ସ୍ଥାନରେ ରହିଛି। ହୀରାକୁଦ ୪୨.୬ ଡିଗ୍ରୀ, ରାଉରକେଲା - ୪୨.୨ ଡିଗ୍ରୀ, ଭୁବନେଶ୍ୱର ଗତକାଲି ଅପେକ୍ଷା ସାମାନ୍ୟ ତାପମାତ୍ରା କମିଛି। ଭୁବନେଶ୍ବରରେ ଆଜି ୩୯.୨ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝର ଜିଲ୍ଲାରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ବୁଧବାର ଦିନ ଝାରସୁଗୁଡ଼ା ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଥିଲା। ସେହିପରି ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଏପ୍ରିଲ ୨୫ ପର୍ଯ୍ୟନ୍ତ ଗରମ ଅନୁଭୂତ ହେବ।
ସେପଟେ ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ। ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।