କଟକ: ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ହାତୀ ମୃତ୍ୟୁ ମାମଲା ବନ ବିଭାଗର ଖାମ ଖିଆଲ ମନୋଭାବକୁ ପଦାରେ ପକାଇଛି । ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ହାତୀ ମୃତ୍ୟୁ ବରଣ କରିବା ଘଟଣା ଏବେ ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ମାମଲାକୁ ସୋ-ମୋଟୁ ନେବା ସହିତ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଉଚ୍ଚ ଅଦାଲତ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ।
ଅନ୍ୟପକ୍ଷରେ ୩ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି । ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।
ସେପଟେ ବାରହା ଶିକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିବା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ ଧରିବାକୁ ପ୍ରୟାସ ଜାରି ରହିଛି ।
ଗତକାଲି ସକାଳେ ସମ୍ବଲପୁର ନାକଟିଦେଉଳ ରେଞ୍ଜରେ ବୁରମାଲ ଜଙ୍ଗଲରେ ୩ ଟି ହାତୀଙ୍କ ମୃତ ଦେହ ଜବତ କରାଯାଇଥିଲା । ସେଥିମଧ୍ୟରୁ 2ଟି ମାଈ ହାତୀ ରହିଥିବାବେଳେ ଗୋଟିଏ ଛୁଆ ହାତୀ ଥିଲା ।