ଭୁବନେଶ୍ୱର: ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ-ହତ୍ୟା, ଗୋ ମାଂସ ବିକ୍ରି ଓ ଗୋରୁ ଚାଲାଣ । ଏ ନେଇ ରାଜ୍ୟ ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ ଆଣିବାକୁ ବିଚାର କରୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଥିବା ମନ୍ତ୍ରୀ କହିଛନ୍ତି ।
ସେହିପରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋ ହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ଗୋ ବଂଶ ବୃଦ୍ଧି ହେବ । ଯେଉଁମାନେ ଗୋ ଚାଲାଣ କରୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଗୋମାଂସକୁ ବଡ଼ ନିଷ୍ପତି ନିଆଯାଇଛି । ଆସାମ ସରକାର ଗୋମାଂସ ଉପରେ କଟକଣା ଲଗାଇଛନ୍ତି । ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି କରାଯାଇ ପାରିବ ନାହିଁ । ଏ ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପୂର୍ବରୁ ଖାଲି ମନ୍ଦିର ନିକଟରେ ଗୋ ମାଂସ ବିକ୍ରି ଉପରେ କଟକଣା ଲଗାଯାଇଥିଲା । ମାତ୍ର ଏବେ ସମୂର୍ଣ୍ଣ ରାଜ୍ୟରେ ଏହି ନିୟମ ଲାଗୁ କରାଯାଇଛି ।