ବଲାଙ୍ଗୀର : ୬ ବର୍ଷ ହେଲା ଅନ୍ଧାରରେ ଜୀବନ ବିତାଉଛନ୍ତି ଦେଶିଲ ଡୁଙ୍ଗୁରିପଡା ବାସୀ । କେବଳ ସେତିକି ନୁହେଁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ମହାରାଜ ସାଗରର ଉନ୍ନତିକରଣ କରିବା ପାଇଁ ଟିଟିଲାଗଡ ପୌର ପରିଷଦ ତରଫରୁ ମହାରାଜ ସାଗର କଡରେ ରହୁଥିବା ପରିବାରଙ୍କୁ ଉଚ୍ଛେଦ କରାଯାଇଥିଲା । ଏହାପରେ ୪ କିଲୋମିଟର ଦୂରରେ ଥିବା ଦେସିଲ ଡୁଙ୍ଗୁରି ଭଟାରେ ସେମାନଙ୍କୁ ଥଇଥାନ କରିଥିଲା ପ୍ରଶାସନ । ତେବେ ସେତେବେଳେ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦିଆଯାଇଥିଲେ ବି ଆଜି ଯାଏଁ ସୁବିଧାରୁ ବଞ୍ଚିତ ହେଉଛନ୍ତି ଡୁଙ୍ଗରିପଡାବାସୀ ।
୬ବର୍ଷ ହେବ ପିଇବା ପାଣି ଓ ବିଜୁଳି ସମସ୍ୟା ନ ଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ବିଦ୍ୟୁତ୍ ସମସ୍ୟା ହେତୁ ରାତିରେ ପାଠ ପଢିବା ପିଲାମାନଙ୍କ ପାଇଁ କଷ୍ଟକର ହେଉଛି । ଦିନର ସୋଲାର ଲାଇଟକୁ ଚାର୍ଜ କରି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ସପ୍ତାହକୁ ୩ ଦିନ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ସେଥିରେ ଚଳିବା କଷ୍ଟକର ହୋଇପଡୁଛି । ତେବେ ଏନେଇ ନିକଟରେ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରାଯାଇଛି । ଖୁବଶୀଘ୍ର ତଦନ୍ତ କରାଯାଇ ଏହାର ସ୍ଥାୟୀ ସମାଧାନ କରାଯିବା ନେଇ ସେ ପ୍ରତିଶୃତି ଦେଇଛନ୍ତି ।