ବ୍ରହ୍ମପୁର: କେନ୍ଦ୍ରାପଡ଼ାରେ ହୃଦଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିବା ପରେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଚାଷୀ ଜଣକ ହେଲେ ଛତ୍ରପୁର ବ୍ଲକ ବରଙ୍ଗ ଅନ୍ତର୍ଗତ ବଡ଼ମାଧପୁର ଗାଁର ବନମାଳୀ ପେଣ୍ଠେଇ (୬୪) । ଧାନ ଫସଲ କ୍ଷତି ଯୋଗୁଁ ତାଙ୍କର ଜୀବନ ଯାଇଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
୬୪ ବର୍ଷୀୟ ବନମାଳୀ ପେଣ୍ଠେଇ ୨ ଲକ୍ଷ ଋଣ କରି ୫ ଏକର ଜମିରେ ଭାଗ ଚାଷ କରିଥିଲେ । ନିଜର ୨ ଭରଣ ଜମି ଥିଲା । ତେବେ ଅଦିନିଆ ବର୍ଷାରେ ତାଙ୍କର ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଧାନ ଗଜା ହୋଇଯାଇଛି । ବନମାଳୀ ଏହାକୁ ନେଇ ଭାଙ୍ଗି ପଡ଼ିଥିଲେ । ତାଙ୍କର ଋଣ ଟଙ୍କା କିପରି ପରିଶୋଧ କରିବେ ସେ ନେଇ ଚିନ୍ତାଗ୍ରସ୍ତ ଥିଲେ । ମାତ୍ର ବନମାଳୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ତାଙ୍କର ମୃତ୍ୟୁ କେମିତି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ବନମାଳୀଙ୍କର ଚାରୋଟି ଝିଅ ଓ ଗୋଟେ ପୁଅ ଥିବାବେଳେ ସମସ୍ତେ ବିବାହିତ ଅଟନ୍ତି । ତେବେ ତାଙ୍କର ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସନ୍ଥପଡ଼ା ଗ୍ରାମରେ ହୃଦଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଭାବଗ୍ରାହୀ ମଲ୍ଲିକ । ସେ ୭ ଏକର ଜମିରେ ଧାନ ଚାଷ କରିଥିଲେ । ଅଦିନିଆ ଲଘୁଚାପ ଜନିତ ବର୍ଷାରେ ତାଙ୍କର ପ୍ରାୟ ୩ ଏକର ଧାନ ପାଣିରେ ବୁଡ଼ିକି ରହିଥିଲା । ଯାହାକୁ ଦେଖିବା ପରେ ହୃଦଘାତ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।